ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଡ଼ଃ ହରି ବାବୁ କମ୍ଭମପତି

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ ଥିଲେ।

ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର, ୦୩/୦୧: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଡ଼ଃ ହରି ବାବୁ କମ୍ଭମପତି। ରାଜଭବନର ନୂଆ ଅଭିଷେକ ହଲରେ ଆୟୋଜିତ ଭବ୍ୟ ସମାରୋହରେ କମ୍ଭମପତିଙ୍କୁ ପଦ ଓ‌ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ୍ ସିଂହ। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ସାଂସଦଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ରାଜଭବନ ପରିସରରେ ରାଜ୍ୟପାଳ କମ୍ଭମପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଡକ୍ଟର ହରି ବାବୁ କାମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତ କାଲି ରାଜ୍ୟପାଳ କମ୍ଭମପତି ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।