ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟରେ ଭୁବନେଶ୍ୱର

ପ୍ରବାସୀ ଭାରତୀୟ ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ

ଭୁବନେଶ୍ୱର, ୦୩/୦୧: ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ବାଧା ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଧମକ ଦେଇଥିବା ଜଣାପଡ଼ିଛି। ପନ୍ନୁ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଓ ଭିଡିଓ ବାର୍ତ୍ତା ପଠାଇଛନ୍ତି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଶୁକ୍ରବାର ପଠାଯାଇଥିବା ଇ-ମେଲ୍ ରେ ପନ୍ନୁ ଚେତାବନୀ ଦେଇଛନ୍ତି ଯେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ମଧ୍ୟ ପ୍ରବାସୀ ଭାରତୀୟ ଦିବସକୁ ବାଧାପ୍ରାପ୍ତ କରିବା ପାଇଁ ସେ ପ୍ରୟାସ କରିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ କେନ୍ଦ୍ରମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୨୦୨୪ ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ଡିଜିପି/ଆଇଜି ସମ୍ମିଳନୀରେ ବାଧା ସୃଷ୍ଟି କରିବା ପାଇଁ ପନ୍ନୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ। ଓଡ଼ିଆ ଓ ଇଂରାଜୀରେ ଅକ୍ଷୟ ସାହୁଙ୍କୁ ଏହି ଇମେଲ୍ ପଠାଯାଇଥିଲା।