ଭୁବନେଶ୍ୱର, ୦୩/୦୧: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ବିଜେଡ଼ି ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଲୋୟର ପିଏମଜିରୁ ଲୋକସେବା ଭବନ ପର୍ଯ୍ୟନ୍ତ ଏହି ବିକ୍ଷୋଭ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀଯୁକ୍ତ ବର୍ମା କହିଛନ୍ତି ଯେ ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରତ୍ୟେକ କ୍ଷେତ୍ରରେ ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସମଗ୍ର ଓଡ଼ିଶାବାସୀଙ୍କୁ ହନ୍ତସନ୍ତ କରୁଛି। ଏହି ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ଏହା ସହ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେ଼ଇ କରିବ ବିଜେଡି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ସତ୍ତ୍ୱେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାରେ ବିଫଳ ହୋଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ଯୋଗୁଁ ପ୍ରତ୍ୟେକ ସିଧାରଣ ଲୋକଙ୍କ ପକେଟରୁ ଲୁଟ ହେବା ଆରମ୍ଭ ହୋଇଛି। ଓଡ଼ିଶାବାସୀଙ୍କ ଅଧିକାର ଓ ସମ୍ମାନ ପାଇଁ ଦଳ ଲଢ଼େଇ କରିବ ବୋଲି ବର୍ମା କହିଛନ୍ତି।
ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅବହେଳା କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ସାଧାରଣ ଲୋକମାନେ ଆକାଶଛୁଆଁ ଦରକୁ ନେଇ ଡବଲ ଇଞ୍ଜିନ ସରକାରଙ୍କ କଥା ଭାବୁଛନ୍ତି। ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଛି। ଡବଲ ଇଞ୍ଜିନ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ। ଯଦି ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନ ନିଅନ୍ତି ତେବେ ଜିଲ୍ଲାସ୍ତରରେ ବିକ୍ଷୋଭ କରାଯିବ ବୋଲି ସେ କହିଛନ୍ତି।