ନବୀନ ସରକାରଙ୍କ ଉତ୍ତମ ଶିକ୍ଷା ନୀତିର ସୁଫଳ
୨୦୨୩-୨୪ ଶିକ୍ଷାବର୍ଷରେ ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟା ଦେଶରେ କମିଥିବା ବେଳେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ ବୃଦ୍ଧି ଘଟିଛି। ରାଜ୍ୟରେ ସରକାରୀ ସ୍କୁଲର ଶିକ୍ଷାର୍ଥୀଙ୍କ ସଂଖ୍ୟା ଘରୋଇ ସ୍କୁଲର ଶିକ୍ଷାର୍ଥୀଙ୍କ ସଂଖ୍ୟା ଠାରୁ ଢେର ଅଧିକ।
ଶୂନ ଶିକ୍ଷାର୍ଥୀ ବିଦ୍ୟାଳୟ ସଂଖ୍ୟା ୩୩ରୁ ୮କୁ ହ୍ରାସ
ଭୁବନେଶ୍ୱର, ୦୩/୦୧: ନିକଟରେ ପ୍ରକାଶିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସଂସ୍ଥା ୟୁନିଫାଏଡ଼ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ୍ର ରିପୋର୍ଟ ଅନୁଯାୟୀ ଓଡିଶା ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୧ ଲକ୍ଷ ଅଧିକ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବାକୁ ସମର୍ଥ ହୋଇଛି । ଉଲ୍ଲେଖଯୋଗ୍ୟ, ଦେଶରେ ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମୁଥିବା ବେଳେ, ଓଡିଶା ନୂତନ ଶିକ୍ଷାର୍ଥୀଙ୍କ ସଂଖ୍ୟାକୁ ବୃଦ୍ଧି କରିବାରେ ସଫଳ ହୋଇଛି । ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ସରକାରୀ ସ୍କୁଲରେ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ଘରୋଇ ସ୍କୁଲରେ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ଠାରୁ ଢେର ଅଧିକ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ରିପୋର୍ଟକୁ ଆଧାର କରି ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଓଡ଼ିଶାର ଏହି ଉପଲବ୍ଧି ନବୀନ ସରକାରଙ୍କ ଉପଯୁକ୍ତ ଶିକ୍ଷାନୀତିର ପରିଣାମ ବୋଲି ଦର୍ଶାଯାଇଛି । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ବିବୃତିରେ କହିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ ମଧ୍ୟ ନିଜ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ୨୪ ବର୍ଷର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି । କିନ୍ତୁ ନବୀନ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାମ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ରିପୋର୍ଟରେ ବାରମ୍ୱାର ପ୍ରତିଫଳିତ ହେଉଛି । ନିକଟରେ ପ୍ରକାଶିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ରିପୋର୍ଟ ରାଜ୍ୟରେ ଗତ ଶିକ୍ଷାବର୍ଷରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇଛନ୍ତି ବୋଲି ସ୍ପଷ୍ଟ ହୋଇଛି ।
ଏହି ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୬୧,୬୯୩ ବିଦ୍ୟାଳୟରେ ୭୭.୫ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ୬୧,୮୯୧ ବିଦ୍ୟାଳୟରେ ୭୬.୪ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଥିଲେ । ୨୦୨୩-୨୪ ଶିକ୍ଷାବର୍ଷରେ ସମଗ୍ର ଦେଶରେ ଶିକ୍ଷାର୍ଥୀଙ୍କ ନାମଲେଖା ସଂଖ୍ୟା ପ୍ରାୟ ୩୭ ଲକ୍ଷକୁ ହ୍ରାସ ପାଇଥିବା ବେଳେ ଏହା ଓଡ଼ିଶାରେ ପ୍ରାୟ ୧ ଲକ୍ଷକୁ ବୃଦ୍ଧି ପାଇଛି । ଏହି ରିପୋର୍ଟ ଅନୁଯାୟୀ ଓଡିଶାରେ ନାମ ଲେଖାଉଥିବା ଶିକ୍ଷାର୍ଥୀଙ୍କ ପ୍ରତିଶତ ଠାରୁ ରାଜ୍ୟର ବିଦ୍ୟାଳୟ ସଂଖ୍ୟାର ପ୍ରତିଶତ ଅଧିକ ରହିଛି । ସମଗ୍ର ଦେଶରେ ଓଡିଶା ସମେତ ମାତ୍ର ୯ଟି ରାଜ୍ୟରେ ଏଭଳି ସ୍ଥିତି ରହିଛି ।
ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷରେ ଶୂନ ଶିକ୍ଷାର୍ଥୀ ଥିବା ସ୍କୁଲ ସଂଖ୍ୟା ୩୩ ଥିଲା, ଯାହା ୨୦୨୩-୨୪ ବେଳକୁ ୮କୁ ଖସିଆସିଛି । ସେହିପରି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ ଘରୋଇ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ସଂଖ୍ୟା ସରକାରୀ ବିଦ୍ୟାଳୟ ଠାରୁ କମ୍ ରହିଛି । ରାଜ୍ୟରେ ସମୁଦାୟ ୪୮,୬୭୧ଟି ସରକାରୀ ବିଦ୍ୟାଳୟ ଥିବାବେଳେ ଏଥିରେ ପ୍ରାୟ ୫୨ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି । ସେହିପରି ରାଜ୍ୟରେ ପ୍ରାୟ ୬୦୪୨ଟି ଘରୋଇ ବିଦ୍ୟାଳୟ ଥିବା ବେଳେ ଏଥିରେ ପ୍ରାୟ ୧୪.୮ ଲକ୍ଷ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି ।