ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଏସ ମନୋଜ ସାହୁ

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିଲେ ମନୋଜ ସାହୁ

ଭୁବନେଶ୍ୱର, ୦୪/୦୧: ବରିଷ୍ଠ ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୦୬ ବ୍ୟାଚର ଏହି ଆଇଏଏସ୍ ଅଫିସର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିଲେ ଆଇଏଏସ ମନୋଜ ସାହୁ। ନିକଟରେ ଇଣ୍ଟର କ୍ୟାଡର ଡେପୁଟେସନରୁ ଓଡ଼ିଶାକୁ ଫେରିଥିଲେ।

ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ୨୦୦୬ ବ୍ୟାଚର ଅଧିକାରୀ ଶ୍ରୀ ସାହୁଙ୍କୁ ପୂର୍ବରୁ ଓଡ଼ିଶା ଗୃହ ବିଭାଗରେ ଆନ୍ତଃକ୍ୟାଡର ଡେପୁଟେସନରେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। ମନୋଜ ସାହୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା ଅଟନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି। ଗତ ଦୁଇ ଦିନ ପୂର୍ବରୁ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବରୁ ବଦଳି କରି ପୌର ପ୍ରଶାସନ ନିର୍ଦ୍ଦେଶକ ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।