ସମ୍ବଲପୁରରେ ୨ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ

ହତ୍ୟା ଅଭିଯୋଗ ଆଣିଲେ ମୃତ ଦେବେନ୍ଦ୍ର ନାୟକଙ୍କ ପୁଅ ରୋହନ ନାୟକ

୨ ଆହତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୫/୦୧: ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।

ତେବେ ସମ୍ବଲପୁର ଜିଲ୍ଲା କଣ୍ଟାପାଲି ନିକଟରେ ଏହି ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟଣା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇ ଆହତ ହୋଇଥିବା ଦୁଇ ବିଜେପି କର୍ମୀ କହିଛନ୍ତି ଯେ ଟ୍ରକ୍ ଡ୍ରାଇଭର ଜାଣିଶୁଣି ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମରେ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେମାନେ ଭୁବନେଶ୍ୱରରୁ ଫେରୁଥିବା ବେଳେ କଣ୍ଟାପାଲି ନିକଟରେ ଟ୍ରକଟି ସେମାନଙ୍କ କାରକୁ ପିଛା କରି ୩ ଥର ଧକ୍କା ଦେଇଥିଲା। ଦୁଇ ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି।

ଏହି ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ଜାରି ରହିଛି। ମୃତ ଦେବେନ୍ଦ୍ର ନାୟକଙ୍କ ପୁଅ ରୋହନ ନାୟକ ଏହି ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି।‌ ଯାହା ପରେ ବୁର୍ଲା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ହାଇୱାକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି। ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କର୍ମୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଦୁଇ ଆହତଙ୍କୁ ଭେଟିଛନ୍ତି।