ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନମୋ ଭାରତ କରିଡ଼ରର ଅତିରିକ୍ତ ୧୩ କି.ମି.‌ ଫେଜ ଉଦଘାଟିତ

ପ୍ରଥମ ଥର ଦିଲ୍ଲୀ ମଧ୍ୟ ଦେଇ ଗଡିବ ନମୋ ଭାରତ ଟ୍ରେନ।

ଦିଲ୍ଲୀରୁ ମିରଟ ମାତ୍ର ୪୦ ମିନିଟ୍

ନୂଆଦିଲ୍ଲୀ, ୦୫/୦୧: ଆଜି ନମୋ ଭାରତ କରିଡ଼ରର ୧୩ କି.ମି. ଫେଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ଦିଲ୍ଲୀ ମଧ୍ୟ ଦେଇ ଗଡିବ ନମୋ ଭାରତ ଟ୍ରେନ। ସାହିଦାବାଦ ଓ ନ୍ୟୁ ଅଶୋକ ନଗର ମଧ୍ୟରେ ନମୋ ଭାରତ ଆରଆରଟିଏସ କରିଡରର ଦିଲ୍ଲୀ ସେକ୍ସନର ଉଦଘାଟନ କରାଯାଇଛି।

ପୂର୍ବରୁ ସାହିବାବାଦରୁ ଦକ୍ଷିଣ ମିରଟ ମଧ୍ୟରେ ୪୨ କିଲୋମିଟର ମାର୍ଗରେ ୯ଟି ଷ୍ଟେସନ ରହିଥିଲା। ଏହି ନୂତନ କରିଡ଼ରର ଶୁଭାରମ୍ଭ ପରେ ଏହି ରାସ୍ତା ୫୫ କି.ମି. କୁ ବଢ଼ିଛି। ଯେଉଁଥିରେ ୧୧ଟି ଷ୍ଟେସନ ରହିଛି। ଏହା ଦ୍ୱାରା ଦକ୍ଷିଣ ମିରଟ ସହିତ ଦିଲ୍ଲୀର ସିଧାସଳଖ ସଂଯୁକ୍ତ ହୋଇଛି। ଏହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଯାତ୍ରୀମାନେ ନ୍ୟୁ ଅଶୋକ ନଗରରୁ ଦକ୍ଷିଣ ମିରଟକୁ ମାତ୍ର ୪୦ ମିନିଟରେ ଯାତ୍ରା କରିପାରିବେ। ପ୍ରଥମ ଥର ପାଇଁ ନମୋ ଭାରତ ଟ୍ରେନ୍ ଭୂତଳ ସେକ୍ସନରେ ଚଳାଚଳ କରିବ।

ରବିବାର ଅପରାହ୍ନ ୫ଟାରୁ ଯାତ୍ରୀ ଚଳାଚଳ ଆରମ୍ଭ ହେବ ଏବଂ ପ୍ରତ୍ୟେକ ୧୫ ମିନିଟ୍ ବ୍ୟବଧାନରେ ସର୍ବସାଧାରଣଙ୍କ ପାଇଁ ଟ୍ରେନ ଉପଲବ୍ଧ ହେବ। ନ୍ୟୁ ଅଶୋକ ନଗର ଷ୍ଟେସନରୁ ଦକ୍ଷିଣ ମିରଟ ପର୍ଯ୍ୟନ୍ତ ସାଧାରଣ କୋଚ୍ ପାଇଁ ୧୫୦ ଟଙ୍କା ଏବଂ ପ୍ରିମିୟମ୍ କୋଚ୍ ପାଇଁ ୨୨୫ ଟଙ୍କା ଭଡ଼ା ରହିଛି।

ଶୁଭାରମ୍ଭ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦି ସାହିବାବାଦରୁ ନମୋ ଭାରତ ଟ୍ରେନରେ ନ୍ୟୁ ଅଶୋକ ନଗର ଅଭିମୁଖେ ଯାତ୍ରା କରିଥିଲେ। ସେ ୟୁପିଆଇ ଜରିଆରେ କ୍ୟୁଆର୍ ଟିକେଟ୍ ବୁକ୍ କରିଥିଲେ।

ଏହା ସହିତ ୧୨ ହଜାର କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।