ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ବିଜେଡ଼ି

ଦରଦାମ ବୃଦ୍ଧି ପ୍ରତିବାଦରେ ହଜାର ହଜାର ବିଜେଡ଼ି କର୍ମୀଙ୍କ ରଣହୁଙ୍କାର

ଏମ୍ଏମ୍ ସରକାର ମହଙ୍ଗା ମାଡ ସରକାର : ବିକ୍ଷୋଭସ୍ଥଳରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦବୋଧନ

ଭୁବନେଶ୍ୱର, ୦୬/୦୧: ରାଜ୍ୟରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ରାଜ୍ୟବାସୀ। ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ବୋଲି ଅଭିଯୋଗ କରିଛି ବିଜେଡ଼ି। ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିରୋଧୀ ବିଜେଡ଼ି। ଏହି ପ୍ରସଙ୍ଗରେ ବିଶାଳ ଗଣବିକ୍ଷୋଭର ଆୟୋଜନ କରିଛି ବିଜେଡ଼ି। ଏ ନେଇ ଲୋୟର ପିଏମଜିରେ ୫୦ ହଜାର କର୍ମୀଙ୍କ ସହ ଯୋଗ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ବିଜେପି ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ଡାକରାରେ ଆପଣ ମାନେ ସାରା ଓଡିଶାରୁ ଏତେ ଶୀତରେ ଭୁବନେଶ୍ୱର ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଜୁନ ମାସରେ ବିଜେପି ସରକାର ଗଠନ ହେଲା। ସାତ ମାସ ହୋଇଗଲା। କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ।‌ କିନ୍ତୁ କାମ ଘର ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି। କିନ୍ତୁ ଆକ୍ସନ କିଛି ନାହିଁ।

ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ।‌ ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇ ମା କାହାଣୀ କହି ସରକାର ଖୁସି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି। ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପଦୋନ୍ନତିରେ ବିତୁଛି। ହାଟ ବଜାରରେ ଲୋକ ପ୍ରତିଦିନ ଅଶାନ୍ତି। ମା ମାନେ କାନ୍ଦୁଛନ୍ତି। ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।

ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି। ଡବଲ ଇଞ୍ଜିନ ଡବଲ ମାଡ। ଏପଟେ ଦରବୃଦ୍ଧି ମାଡ। ସେପଟେ ଜିଏସଟି ମାଡ଼। ସବୁ ଜିନିଷରେ ଜିଏସଟି। ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି।

ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ। କିନ୍ତୁ ଫିଲ୍ମ ରିଲିଜ୍ ହେଲା ଏମ୍ଏମ୍ ସରକାର ମହଙ୍ଗା ମାଡ ସରକାର। ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।

ବିଜେଡ଼ି ଅଭିଯୋଗ କରିଛି ଯେ, ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଭ୍ରମାତ୍ମକ ମନ୍ତବ୍ୟ ଦେଉଛନ୍ତି। ଯଦି ଏହି ଦରଦାମ ନିୟନ୍ତ୍ରଣ ପାଇଁ ସରକାର କୌଣସି ପଦେକ୍ଷପ ନ ନିଅନ୍ତି ତାହାଲେ, ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବିଜେଡି।