ପ୍ରବାସୀ ଭାରତୀୟ ସମ୍ମିଳନୀ: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବଡ଼ ଘୋଷଣା
ବଦଳିଲା ରାଜ୍ୟ ସଂଗ୍ରହାଳୟ ବନ୍ଦ ହେବା ସମୟ
ଭୁବନେଶ୍ୱର, ୦୭/୦୧: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏବେ ଯାଏଁ ରାଜ୍ୟକୁ ବହୁ ପ୍ରବାସୀ ଆସି ପହଞ୍ଚି ସାରିଥିବା ବେଳେ ଆହୁରି ଅନେକ ଆସିବାର ଅଛନ୍ତି। କେବଳ ଭୁବନେଶ୍ୱର ସ୍ଥିତ ସମ୍ମିଳନୀ ନୁହେଁ, ବରଂ ପର୍ଯ୍ୟଟନୀସ୍ଥଳୀ ଓ ଐତିହାସିକ ସ୍ଥଳୀ ମଧ୍ୟ ବୁଲିବାକୁ ଯିବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସମୟରେ ପରିବର୍ତ୍ତନ କରିଛନ୍ତି।
ଆସନ୍ତା ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ରାଜ୍ୟ ସଂଗ୍ରହାଳୟ ଖୋଲା ରହିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ରାଜ୍ୟ ସଂଗ୍ରହାଳୟ ସାଧାରଣତଃ ପ୍ରତିଦିନ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହେ। କିନ୍ତୁ ଆଗାମୀ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ପ୍ରବାସୀଙ୍କ ମଧ୍ୟରେ ଓଡିଶାର କଳା ସଂସ୍କୃତି ଓ ପରମ୍ପରା ପ୍ରଦର୍ଶିତ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ରାଜାରାଣୀ ସଂଗୀତ ମହୋତ୍ସବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଗତ କାଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଥିଲେ।