ତିବ୍ଦତ: ଘଣ୍ଟାଏ ଭିତରେ ୬ ଥର ଭୂମିକମ୍ପ
ଭୂମିକମ୍ପରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୨ ଜଣ ଆହତ ହୋଇଛନ୍ତି।
ଦୋହଲିଲା ଭାରତ, ନେପାଳ, ଚାଇନା ଓ ଭୁଟାନ
ନୂଆଦିଲ୍ଲୀ, ୦୭/୦୧: ମଙ୍ଗଳବାର ସକାଳେ ତିବ୍ଦତରେ ମାତ୍ର ଏକ ଘଣ୍ଟା ମଧ୍ୟରେ ୬ ଥର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ନେପାଳ ସମେତ ଭାରତ ଓ ଭୁଟାନ ମଧ୍ୟ ଦୋହଲିଲା। ଏଥିରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଥିରେ ଅତି କମରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି।
ଭୂକମ୍ପର କେନ୍ଦ୍ରସ୍ଥଳ ଲୋବୁଚେ ନିକଟରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଦେଇଛି। ଭାରତର ରାଜଧାନୀ ଦିଲ୍ଲୀ ଏବଂ ବିହାରର ପାଟନା ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଆସାମ ସମେତ ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।