ମହାକୁମ୍ଭ ମେଳାରେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ସନ୍ୟାସୀ ଭଳି ଜୀବନ ବିତାଇବେ, ଆଶ୍ରମରେ ରହିବେ।
ଲୌରେନ ପାଓ୍ବେଲ ଜବ୍ସରୁ ହେଲେ ‘କମଳା’
ଉତ୍ତରପ୍ରଦେଶ, ୧୩/୦୧: ଆରମ୍ଭ ହୋଇଛି ପ୍ରୟାଗରାଜରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା। ଏଥିପାଇଁ ଉତ୍ସାହିତ ସାରା ଦେଶ। ଏଥିରେ ଯୋଗ ଦେବାକୁ ସୁଦୂର ଆମେରିକାରୁ ଭାରତ ଆସିଛନ୍ତି ଆପଲ ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲୌରେନ ପାଓ୍ବେଲ ଜବ୍ସ। ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ସାମିଲ ହେବା ସହ ଲୌରେନ ପାଓ୍ବେଲ ଜବ୍ସରୁ ନାମ ବଦଳାଇ ହିନ୍ଦୁ ନାମ ‘କମଳା’ ଦିଆଯାଇଛି। ବର୍ତ୍ତମାନ ବାରଣାସୀରେ ସେ ତାଙ୍କ ଗୁରୁ ସ୍ୱାମୀ କୈଳାସାନନ୍ଦଙ୍କ ଆଶ୍ରମରେ ରହିଛନ୍ତି।ସୋମବାର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରିଛନ୍ତି ଲୌରେନ।
ଜାନୁଆରୀ ୧୩ରୁ ଜାନୁଆରୀ ୨୯ ପର୍ଯ୍ୟନ୍ତ ମହାକୁମ୍ଭ ମେଳାରେ ହେଉଥିବା ସମସ୍ତ ରୀତିନୀତିରେ ଅଂଶଗ୍ରହଣ କରିବେ। ୧୦ ଦିନ ଯାଏଁ ସେ ପ୍ରତିଦିନ ସକାଳୁ ପବିତ୍ର ତ୍ରିବେଣୀ ନଦୀରେ ସ୍ନାନ କରିବେ, ଧ୍ୟାନ କରିବେ, ମନ୍ତ୍ର ଜପ କରିବେ ଏବଂ ଶାସ୍ତ୍ର ଅଧ୍ୟୟନ କରିବେ। ସେ ପିଆଜ, ରସୁଣ କିମ୍ବା ମସଲା ବିନା କେବଳ ‘ସାତ୍ୱିକ’ ଖାଦ୍ୟ ଖାଇବେ ଏବଂ ସାଧୁ ସନ୍ଥ ଓ ଆଧ୍ୟାତ୍ମିକ କଥା ଶୁଣିବେ ଏବଂ କଳ୍ପବାସ ନିୟମ ପାଳନ କରିବେ। ସେ ଭୂମିରେ ଶୋଇବେ, ସରଳ ଜୀବନଶୈଳୀ ବଜାୟ ରଖିବେ ଏବଂ ତୁଳସୀ ଗଛ ଲଗାଇବେ। ସେ ନିଜ ଦ୍ୱାରା ପ୍ରସ୍ତୁତ କିମ୍ବା ଅନ୍ୟ ଭକ୍ତଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବେ, ସୁନା ପିନ୍ଧିବେ ନାହିଁ ଏବଂ ମିଠା ଓ ଫଳ ଖାଇବା ଠାରୁ ଦୂରେଇ ରହିବେ। ସେହିପରି ପ୍ରୟାଗରାଜରେ ନିରଞ୍ଜନୀ ଅଖାଡେର ମହମଣ୍ଡଳେଶ୍ବର କୈଳାସନନ୍ଦ ଗିରିଙ୍କ କଥା ଶୁଣିବେ ।
ସ୍ୱାମୀ କୈଳାସାନନ୍ଦ କହିଛନ୍ତି ଯେ ଲୌରେନ ପାୱେଲ ଜବ୍ସଙ୍କୁ ତାଙ୍କ ଗୁରୁଙ୍କ ଗୋତ୍ର ମିଳିବା ପରେ ‘କମଳା’ ନାମ ଦିଆଯାଇଛି। ତାଙ୍କୁ ଅଚ୍ୟୁତ-ଗୋତ୍ର ପ୍ରଦାନ କରାଯାଇଛି। ଲୌରେନଙ୍କ ସନାତନ ଧର୍ମ ପ୍ରତି ଗଭୀର ଆଗ୍ରହ ରହିଛି। ସେ ତାଙ୍କୁ ଜଣେ ବାପା ଭାବରେ ସମ୍ମାନ କରନ୍ତି, ମୁଁ ମଧ୍ୟ ତାଙ୍କୁ ମୋ ଝିଅ ପରି ମାନେ।