ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା ବ୍ୟକ୍ତି ମୃତ ଘୋଷିତ ହେବେ

ନିଖୋଜଙ୍କ ତାଲିକା ଯାଞ୍ଚ ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି

ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ମିଳିବ କ୍ଷତିପୂରଣ

କେରଳ, ୧୫/୦୧: ଗତବର୍ଷ ଜୁଲାଇ ମାସରେ କେରଳର ୱାୟନାଡରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ଭୂସ୍ଖଳନ। ଏଥିରେ ୨୬୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ନିଖୋଜ ହୋଇଯାଇଥିଲେ। ଏହି ନିଖୋଜ ହୋଇଥିବା ଲୋକଙ୍କୁ ମୃତ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ଏଥିରେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ।

ମଙ୍ଗଳବାର ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ଅନୁଯାୟୀ ନିଖୋଜଙ୍କ ତାଲିକା ଯାଞ୍ଚ ପାଇଁ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ନେଇ ସ୍ଥାନୀୟ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟିରେ ପଞ୍ଚାୟତ ସଚିବ, ଗ୍ରାମ ଅଧିକାରୀ ଓ ସଂପୃକ୍ତ ଥାନା ଅଧିକାରୀ ରହିବେ। ଏହି କମିଟି ନିଖୋଜ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଯାଞ୍ଚ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ)କୁ ପ୍ରଦାନ କରିବ। ଡିଡିଏମଏ ଏହି ତାଲିକାର ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଏହାର ପରାମର୍ଶ ପାଇଁ ପଠାଇବ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ୱ ଓ ସ୍ଥାନୀୟ ସ୍ୱୟଂଶାସନ ପ୍ରମୁଖ ସଚିବଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟି ଏହି ତାଲିକାର ଯାଞ୍ଚ କରି ସରକାରଙ୍କ ନିକଟକୁ ପଠାଇବ। ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ମୃତ ଘୋଷଣା କରିବା ସହ ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ଏହି ନିଷ୍ପତ୍ତି ବିପର୍ଯ୍ୟୟରେ ନିଖୋଜ ହୋଇଥିବା ଲୋକଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।