ମୁମ୍ବାଇ, ୧୬/୦୧: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଗୁରୁବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ତାଙ୍କ ଘରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କେହି ଅଜଣା ବ୍ୟକ୍ତି ତାଙ୍କ ଉପରେ ଛୁରାମାଡ କରିଥିଲା। ତାଙ୍କ ବାସଭବନରେ ପତ୍ନୀ କରୀନା କପୁରଙ୍କ ସମେତ କେହି ନଥିବା ବେଳେ ଏହି ହତ୍ୟା ଉଦ୍ୟମ ହୋଇଛି। ସୈଫ ଅଲ୍ଲୀ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ସାଢେ଼ ୨ଟା ବେଳେ ସୈଫ ତାଙ୍କ ବାସଭବନରେ କେହି ପାଟି କରୁଥିବାର ଶୁଣି ତାଙ୍କ ରୁମରୁ ବାହାରକୁ ଆସିଥିଲେ। ଏହି ସମୟରେ ସେ
ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେ ବ୍ୟକ୍ତି ଜଣଙ୍କ ସୈଫଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ, ବେକ ଓ ପିଠିରେ ଆଘାତ ଲାଗିଛି। ସୈଫଙ୍କ ବ୍ୟତୀତ ତାଙ୍କ ଘରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ଛୁରାମାଡ଼ କରାଯାଇଥିଲା। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି।
ତଦନ୍ତରୁ ଜଣା ପଡିଛି ଯେ, ମୁମ୍ବାଇ ପୋଲିସର ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରମାଣ ସଂଗ୍ରହ କରିଛି। ଆକ୍ରମଣର ଦୁଇ ଘଣ୍ଟା ପୂର୍ବରୁ ଲାଗିଥିବା ସିସିଟିଭି ଫୁଟେଜରେ କୌଣସି ବ୍ୟକ୍ତି ତାଙ୍କ ହାଉସିଂ ସୋସାଇଟିକୁ ପ୍ରବେଶ କରୁଥିବା ଦେଖାଯାଇନାହିଁ। ତେଣୁ ଆକ୍ରମଣକାରୀ ସୈଫ୍ ଅଲ୍ଲୀ ଖାନଙ୍କ ଘର ଭିତରେ ଉପସ୍ଥିତ ଥିବା ସନ୍ଦେହ କରାଯାଉଛି। ସୈଫଙ୍କ ୫ ଜଣ କର୍ମଚାରୀଙ୍କୁ ମୁମ୍ବାଇ ପୁଲିସ ଅଧିକ ପଚରାଉଚରା କରୁଛି।