କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା ଓ ପେନସନ।

ଅଷ୍ଟମ ବେତନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ, ୧୬/୦୧: ନୂଆ ବର୍ଷରେ ସରକାରୀ କର୍ମଚାରୀମାନଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିରେ ଉପକୃତ ହେବେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀ।

ବଢ଼ିବ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ। ୨୦୨୬ରେ ଲାଗୁ ହେବ ଅଷ୍ଟମ ବେତନ କମିଶନ ପ୍ରସ୍ତାବ। ଏହା ପୂର୍ବରୁ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନ ହେବ। ଏଥିପାଇଁ ଖୁବ୍ ଶୀଘ୍ର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ନିଯୁକ୍ତ ହେବେ। ପୂର୍ବ କମିଶନ ଭଳି ଏଥିରେ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର)ରେ ପରିବର୍ତ୍ତନ ସମେତ ଦରମାରେ ସଂଶୋଧନ ଆସିବ।

ସୂଚନାଯୋଗ୍ୟ, ୧୯୪୭ରେ ଦେଶ ସ୍ୱାଧୀନତା ପରଠାରୁ ୭ଟି ବେତନ କମିଶନ ଗଠନ ହୋଇସାରିଛି। ସାଧାରଣତଃ ପ୍ରତି ୧୦ ବର୍ଷରେ ଥରେ ନୂଆ ବେତନ କମିଶନ ପ୍ରସ୍ତାବ ଦେଇଥାନ୍ତି। ୨୦୧୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ସପ୍ତମ ବେତନ କମିଶନ ଗଠନ ହୋଇଥିଲା ଓ ୧ ଜାନୁଆରୀ ୨୦୧୬ରୁ ଲାଗୁ ହୋଇଥିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ। ସପ୍ତମ ବେତନ କମିଶନ ଆସନ୍ତା ୨୦୨୬ ଯାଏଁ କାର୍ଯ୍ୟ କରିବ। ୧ ଜାନୁୟାରୀ ୨୦୨୬ରୁ ଅଷ୍ଟମ ବେତନ କମିଶନ ପ୍ରସ୍ତାବ ଲାଗୁ ହେବ।