ସିସିଟିଭି ଫୁଟେଜରେ ସୈଫଙ୍କ ଆକ୍ରମଣକାରୀ

ସର୍ଜରୀ ପରେ ବିପଦମୁକ୍ତ ଅଛନ୍ତି ସୈଫ

ମୁମ୍ବାଇ, ୧୬/୦୧: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଗୁରୁବାର ରାତି ସମୟରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ସତଗୁରୁ ସରଣରେ ଚୋରି ଉଦ୍ୟମ ବେଳେ ଦୁର୍ବୃତ୍ତ ସହିତ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଜଣେ ଅନୁପ୍ରବେଶକାରୀ ତାଙ୍କୁ ଛୁରୀରେ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅନୁପ୍ରବେଶକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଆହତ ସୈଫଙ୍କୁ ୬ ଥର ଛୁରାମାଡ କରିଥିବା ବେଳେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୈଫଙ୍କ ମେରୁଦଣ୍ଡରେ ଲାଗିଥିବା ଆଘାତରେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ବାମ ହାତ ଓ ବେକର ଡାହାଣ ପାର୍ଶ୍ୱରେ ଦୁଇଟି ଗଭୀର କ୍ଷତ ଥିଲା ଯାହାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି।

ବାନ୍ଦ୍ରା ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୧୧ (ହତ୍ୟା ଉଦ୍ୟମ କିମ୍ବା ଗୁରୁତର ଆଘାତ ଦେବାକୁ ଚେଷ୍ଟା କରି ଡକାୟତି), ଧାରା ୩୩୧ (୪) (ରାତିରେ ଘର ଭାଙ୍ଗିବା କିମ୍ବା ଅନୁପ୍ରବେଶ)ରେ ଏଫଆଇଆର ରୁଜୁ କରାଯାଇଥିଲା।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅନୁପ୍ରବେଶକାରୀ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିବାର ଜଣା ପଡିଛି। ବିଲ୍ଡିଂରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁର୍ବୃତ୍ତକୁ ଚିହ୍ନଟ କରାଯାଇଛି। ଏହି ଅପରାଧର ତଦନ୍ତ ପାଇଁ ମୁମ୍ବାଇର କ୍ରାଇମବ୍ରାଞ୍ଚ ପକ୍ଷରୁ ୧୦ଟି ଟିମ୍ ଗଠନ କରାଯାଇଛି।