ଆରଜି କର ଦୁଷ୍କର୍ମ-ହତ୍ୟା ମାମଲା: ସଞ୍ଜୟକୁ ଆଜୀବନ କାରାଦଣ୍ଡ

୫୦ ହଜାର ଟଙ୍କା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ସଞ୍ଜୟ।

ଆମକୁ କ୍ଷତିପୂରଣ ନୁହେଁ, ନ୍ୟାୟ ଦରକାର: ମୃତ ଡାକ୍ତରଙ୍କ ବାପା ମା’

କୋଲକାତା, ୨୦/୦୧: ଅପେକ୍ଷାର ଅନ୍ତ ଘଟିଲା। ନ୍ୟାୟ ପାଇଲେ ଟ୍ରେନି ଡାକ୍ତର। କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାୟ ଶୁଣାଇଲେ ପଶ୍ଚିମବଙ୍ଗର ସିଆଲଦା କୋର୍ଟ।

ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ମୃତ୍ୟୁ ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ସଞ୍ଜୟ ଜେଲରେ ରହିବେ। ସିଆଲଦା କୋର୍ଟର ବିଚାରପତି ଅନିର୍ବାଣ ଦାସ ଏହି ରାୟ ଶୁଣାଇଛନ୍ତି। ମୃତ ଡାକ୍ତରଙ୍କ ପରିବାର ସହ ସିବିଆଇ ମଧ୍ୟ ଅଭିଯୁକ୍ତର ମୃତ୍ୟୁ ଦଣ୍ଡ ଦାବି କରୁଥିବା ବେଳେ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।

ଏଥି ସହିତ ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପୀଡ଼ିତାଙ୍କ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ଓ ଦୁଷ୍କର୍ମ ପାଇଁ ୭ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୀଡ଼ିତାଙ୍କ ପରିବାର ଏହି କ୍ଷତିପୂରଣ ନେବା ପାଇଁ ମନା କରି ଦେଇଛନ୍ତି। ଟ୍ରେନି ଡାକ୍ତରଙ୍କ ବାପା ମାଆ କହିଛନ୍ତି ଯେ, ଆମକୁ ନ୍ୟାୟ ଦରକାର କ୍ଷତିପୂରଣ ଦରକାର ନାହିଁ।

ଗତବର୍ଷ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ କୋର୍ଟ ଶନିବାର ତଥା ଜାନୁଆରୀ ୧୮ରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେମିନାର ହଲରୁ ତାଙ୍କ ମୃତଦେହ ମିଳିଥିଲା। ଏହା ପରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଘଟଣାର ୧୨ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା ପୋଲିସ।