ଆରଜି କର ଦୁଷ୍କର୍ମ-ହତ୍ୟା ଘଟଣା: ‘ମୁଁ ନିର୍ଦ୍ଦୋଷ… ମୋତେ ଫସାଇ ଦିଆଯାଇଛି’: ସଞ୍ଜୟ ରାୟ
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦଣ୍ଡାଦେଶ ପୂର୍ବରୁ ଦୋଷୀ ସଞ୍ଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି। କେବଳ ଫାଶୀ ହିଁ ଏକମାତ୍ର ଦଣ୍ଡ ବୋଲି କହିଛନ୍ତି ସିବିଆଇ ଓକିଲ।
୨.୪୫ରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ
କୋଲକାତା, ୨୦/୦୧: ମୁଁ ନିର୍ଦ୍ଦୋଷ… ମୋତେ ଫସାଇ ଦିଆଯାଇଛି। ବିନା କାରଣରେ ମୋତେ ଏସବୁ ଭିତରେ ଫସାଇ ଦେଇଛନ୍ତି। ମୁଁ ସର୍ବଦା ରୁଦ୍ରାକ୍ଷ ମାଳି ପିନ୍ଧିଥାଏ । ଯଦି ମୁଁ ଅପରାଧ କରିଥାନ୍ତା, ତେବେ ଅପରାଧ ସ୍ଥଳରେ ହିଁ ଏହା ଭାଙ୍ଗି ଯାଇଥାନ୍ତା। ମୋତେ ଏ ଘଟଣା ବିଷୟରେ କିଛି ବି କହିବାକୁ ସୁଯୋଗ ଦିଆଗଲା ନାହିଁ। ସେମାନେ ମୋତେ ଅନେକ କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ମତେ କହିବାର ସୁଯୋଗ ଦିଆଯାଇନଥିଲା। ସାର୍, ଆପଣ ଏସବୁ ଦେଖିଛନ୍ତି। ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ କହିଥିଲି। ଏଭଳି କହିଛନ୍ତି ସଞ୍ଜୟ ରାୟ।
ବହୁ ଚର୍ଚ୍ଚିତ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଆଜି କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି। କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାର ଦୋଷୀ ସଞ୍ଜୟ ରାୟ ସୋମବାର କୋର୍ଟରେ ଦଣ୍ଡ ବିଧାନ ସମ୍ପର୍କରେ ତାଙ୍କର କିଛି କହିବାର ଅଛି କି ବୋଲି ବିଚାରପତିଙ୍କ ପ୍ରଶ୍ନରେ ସେ ଏହା କହିଥିଲେ।
ସଞ୍ଜୟଙ୍କ ବୟାନର ଜବାବ ଦେଇ ବିଚାରପତି କହିଛନ୍ତି, ମୋ ସହ କଥା ହେବା ପାଇଁ ମୁଁ ତୁମକୁ ବହୁ ସମୟ ଦେଇଥିଲି। ମୁଁ ତିନି ଘଣ୍ଟା ଧରି ତୁମ ସହ କଥା ହୋଇଥିଲି। ମୋ ପାଖରେ ଉପସ୍ଥାପିତ ସମସ୍ତ ଅଭିଯୋଗ, ପ୍ରମାଣ, ଦସ୍ତାବିଜ ଏବଂ ସାକ୍ଷୀମାନଙ୍କୁ ଯାଞ୍ଚ କରି ମୁଁ ତୁମକୁ ଦୋଷୀ ସାବ୍ୟସ୍ତ କରିଛି। ତୁମେ ଦୋଷୀ ସାବ୍ୟସ୍ତ ହୋଇସାରିଛ। ଏବେ କେବଳ ଅଦାଲତଙ୍କ ଦଣ୍ଡବିଧାନ ବିଷୟରେ ତୁମ ଚିନ୍ତାଧାରା କ’ଣ ରହିଛି, ତାହା ଜାଣିବାକୁ ଚାହୁଁଥିଲି।
ସିବିଆଇ ଓକିଲ କହିଛନ୍ତି, ଏହା ଏକ ବିରଳ ଘଟଣା। ମୃତ ଟ୍ରେନି ଡାକ୍ତର ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ମୃତ୍ୟୁ ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ କେବଳ ମୃତ୍ୟୁ ଦଣ୍ଡ ମିଳିଲେ ହିଁ ଆଇନ ଉପରେ ସମାଜର ବିଶ୍ୱାସ ଫେରିବ।
ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତାର ସିଆଲଦା କୋର୍ଟ ଶନିବାର ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଅପରାହ୍ନ ୨ଟା ୪୫ ସୁଦ୍ଧା ଦଣ୍ଡାଦେଶ ଶୁଣାଇବେ କୋର୍ଟ।