ଆମେରିକାରେ ଆରମ୍ଭ ଟ୍ରମ୍ପ ସରକାର
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ୭୦୦ରୁ ଉର୍ଦ୍ଧ୍ବ ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଥମ ଦିନରେ ବଡ଼ ଘୋଷଣା କଲେ ଟ୍ରମ୍ପ: କମିବ ବାହ୍ୟ ଗୋଷ୍ଠୀର ପ୍ରଭାବ
ୱାଶିଂଟନ, ୨୧/୦୧: ହ୍ୱାଇଟ ହାଉସକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ସରକାର। ଗତ କାଲି ରିପବ୍ଲିକାନ ପାର୍ଟିର ନେତା ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ରୋନାଲ୍ଡ ଟ୍ରମ୍ପ। ୱାଶିଂଟନ୍ ଡିସିର କ୍ୟାପିଟାଲ ରୋଟୁଣ୍ଡାରେ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଥିଲେ। ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ ରବର୍ଟସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଜେ.ଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ୭୦୦ରୁ ଉର୍ଦ୍ଧ୍ବ ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିନିଧିତ୍ଵ କରିଥିଲେ।
ଶପଥ ଗ୍ରହଣ ପରେ ଆମେରିକାରେ ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଛି। ଏଥର ଆମେରିକା ପୂର୍ବାପେକ୍ଷା ଆହୁରି ସଶକ୍ତ, ସମୃଦ୍ଧ ଓ ସମ୍ମାନନୀୟ ଦେଶ ଭାବେ ବିଶ୍ୱ ସମୁଦାୟ ପାଖରେ ଉଭା ହେବ ବୋଲି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ।
ଦାୟିତ୍ୱ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ସୋମବାର ଦିନ ୱାଶିଂଟନ୍ ଡିସିସ୍ଥିତ କ୍ୟାପିଟାଲ ଓ୍ଵାନ୍ ଏରିନାରେ ସେ ତାଙ୍କ ସମର୍ଥକଙ୍କ ସମ୍ମୁଖରେ ୮ଟି କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିବା ବେଳେ ଅବଶିଷ୍ଟ କାର୍ଯ୍ୟରେ ସେ କାର୍ଯ୍ୟାଳୟରେ ସ୍ୱାକ୍ଷରିତ କରିଛନ୍ତି।
୨୦୨୧ କ୍ୟାପିଟାଲ ହିଲ୍ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ କ୍ଷମା ଦେବା, ବାଇଡେନଙ୍କ ସମୟର ୭୮ଟି କାର୍ଯ୍ୟନିର୍ବାହୀ କାର୍ଯ୍ୟକୁ ବନ୍ଦ କରିବା, ଦ୍ୱିତୀୟ ଥର ପାଇଁ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଓହରିବା, ସେନା ଏବଂ ଅନ୍ୟ କେତେକ ଅତ୍ୟାବଶ୍ୟକ କ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତ ଫେଡେରାଲ ନିଯୁକ୍ତି ଉପରେ ରୋକ୍ ଲଗାଇବା, ଦରଦାମ ଉପରେ ନିୟନ୍ତ୍ରଣ କରିବା ଓ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ, ସଂଘୀୟ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ପୂର୍ଣ୍ଣକାଳୀନ କାର୍ଯ୍ୟକୁ ଫେରିବା ଆବଶ୍ୟକ ବୋଲି କହିବା ସହ ବାକ୍ ସ୍ବାଧୀନତା ଉପରେ କଟକଣାକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଇଲେକ୍ଟ୍ରୋନିକ ଯାନ ଉପରେ ନିୟନ୍ତ୍ରଣ କରି ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ଉପରେ ଧ୍ୟାନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
୨୦୨୧ରେ କ୍ୟାପିଟାଲ ହିଲ୍ ଦଙ୍ଗା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ କ୍ଷମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନ୍ୟାୟ ବିଭାଗ ପ୍ରାୟ ୩୦୦ ବିଚାରାଧୀନ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେବା ସହ ଅତି ଗମ୍ଭୀର ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାର ପ୍ରତ୍ୟାହାର ଉପରେ ଘୋଷଣା କରିଛନ୍ତି। କୋଭିଡ୍-୧୯ ମହାମାରୀ ଏବଂ ଅନ୍ୟାନ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲାରେ ଅସଫଳ ହୋଇ ଥିବାରୁ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ଆମେରିକା ଓହରିଯିବାକୁ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍ଓ ତୁରନ୍ତ ଆବଶ୍ୟକ ସଂସ୍କାର ଗ୍ରହଣ କରିବାରେ ବିଫଳତା ଏବଂ ଡବ୍ଲ୍ୟୁଏଚ୍ଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅନୁପଯୁକ୍ତ ରାଜନୈତିକ ପ୍ରଭାବରୁ ସ୍ୱାଧୀନତା ପ୍ରଦର୍ଶନ କରିବାରେ ଅସମର୍ଥତା ଯୋଗୁଁ ଆମେରିକା ପ୍ରତ୍ୟାହାର କରିବାର କାରଣ ବୋଲି ଦର୍ଶାଇଛନ୍ତି।
ମେକ୍ସିକୋ ସହ ଆମେରିକାର ଦକ୍ଷିଣ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶରେ ବେଆଇନ ପ୍ରବେଶ ଉପରେ ରୋକ ଲଗାଇଛନ୍ତି। ବେଆଇନ ଭାବେ ପ୍ରବେଶ କଲେ ପ୍ରବେଶକାରୀଙ୍କକୁ ସୀମା ନିକଟରୁ ଫେରାଇ ଦେବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସଶସ୍ତ୍ର ବାହିନୀ ମୁତୟନ ହେବେ। ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ହେବ। ମେକ୍ସିକୋ ଉପସାଗରକୁ ଆମେରିକା ଉପସାଗର ଭାବେ ନାମିତ କରାଯିବ।
ନିଶା ମାଫିଆ ତଥା ଡ୍ରଗ୍ସ କାରବାରକୁ ଆତଙ୍କବାଦୀ ଭାବେ ଘୋଷଣା ହେବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ବିଦେଶୀ ଆତଙ୍କୀ ସଙ୍ଗଠନ କ୍ରିମିନାଲ କାର୍ଟେଲ ଭାବେ ଘୋଷିତ ହେବେ। ଦେଶରେ ବିଦେଶୀ ଗୋଷ୍ଠୀର ଅନ୍ତ ଘଟାଇବାକୁ ବିଦେଶୀ ଶତ୍ରୁ ଅଧିନିୟମ ୧୯୭୮ ଲାଗୁ କରାଯିବ। ପାନାମା କେନାଲରେ ଚୀନର ଦବଦବା ଉପରେ ରୋକ ଲଗାଯିବ।
ନାଗରିକତା ପାଇବା ପାଇଁ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ପାଇଁ ଅତି କମରେ ପିତାମାତା ଉଭୟଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ, ଆଇନଗତ ସ୍ଥାୟୀ ବାସିନ୍ଦା (ଗ୍ରୀନ କାର୍ଡଧାରୀ) କିମ୍ବା ଆମେରିକୀୟ ସେନାର ସଦସ୍ୟ ହେବା ଆବଶ୍ୟକ। ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ବେଆଇନ ପ୍ରବେଶକାରୀଙ୍କ ପିଲାଙ୍କ ପାଇଁ ଜନ୍ମଗତ ଅଧିକାର ନାଗରିକତ୍ୱକୁ ସରକାର ସ୍ୱୀକୃତି ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦେଶରେ କେବଳ ଦୁଇଟି ଲିଙ୍ଗ ମହିଳା ଓ ପୁରୁଷ ରହିବେ ଏବଂ ତୃତୀୟ ଲିଙ୍ଗ ଭଳି ବ୍ୟବସ୍ଥା ଉଚ୍ଛେଦ ହେବ ବୋଲି ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।