ଓଡିଶା-ଛତିଶଗଡ ସୀମାରେ ଏନକାଉଣ୍ଟର: ୧୬ ମାଓବାଦୀ ନିପାତ

ସୁରକ୍ଷାବାହିନୀକୁ ମାଓ ଦମନ ଅଭିଯାନରେ ମିଳିଛି ବଡ଼ ସଫଳତା।

ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କ ଉଦ୍ୟମକୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପ୍ରଶଂସା

ରାୟପୁର, ୨୧/୦୧: ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ମାଓବାଦୀ ଦମନ ଅଭିଯାନରେ ମିଳିଛି ବଡ଼ ସଫଳତା। ଛତିଶଗଡ଼ ମାଟିରେ ଓଡିଶା ପୋଲିସର ବଡ଼ ଅପରେସନ। ସୁରକ୍ଷାବାହିନୀର ମିଳିତ ଅପରେସନ୍ ବେଳେ ସୋମବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀଙ୍କ ସମେତ ୧୬ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିରେ ୧ କୋଟି ଟଙ୍କାର ପୁରସ୍କାର ଥିବା ଜଣେ ଶୀର୍ଷ ନକ୍ସଲ କମାଣ୍ଡର ଜୟରାମ ଓରଫ ଚଲାପତି ମଧ୍ୟ ନିହତ ହୋଇଛି। ଚଲାପତି ଓଡ଼ିଶା କ୍ୟାଡ଼ର ର ଜଣେ ହାର୍ଡକୋର ମାଓବାଦୀ ଥିଲା।

କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସହାୟତାରେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲାର ସୀମାନ୍ତ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ଏହି ମିଳିତ ଆନ୍ତଃରାଜ୍ୟ ଅପରେସନ କରାଯାଇଥିଲା। ପ୍ରଥମେ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେବା ପରେ ରାୟପୁର ଜୋନର ଆଇଜି ଅମରେଶ ମିଶ୍ର ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି। ଫଳରେ ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।

ସୀମାନ୍ତ ଅଞ୍ଚଳର ଜଙ୍ଗଲରେ ଅନେକ ନକ୍ସଲ ସକ୍ରିୟ ଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ୧୯ ତାରିଖରୁ ଏହି ଅପରେସନ କରାଯାଉଛି। ଏନକାଉଣ୍ଟର ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।

ମାଓ ଅପରେସନ ସଫଳ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ଡିଜିପିଙ୍କ ବୈଠକ ଚାଲିଛି।

ସୁରକ୍ଷାବାହିନୀକୁ ମାଓ‌ ଦମନ ଅଭିଯାନରେ ଏହି ସଫଳତା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ବାହିନୀର ଉଦ୍ୟମକୁ ପ୍ରଶଂସା କରିଛନ୍ତି। “ନକ୍ସଲବାଦକୁ ଆଉ ଏକ ବଡ଼ ଝଟକା। ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଆମ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସିଆରପିଏଫ, ଏସଓଜି ଓଡିଶା ଓ ଛତିଶଗଡ ପୋଲିସ ମିଳିତ ଅପରେସନ କରି ଓଡିଶା-ଛତିଶଗଡ ସୀମାରେ ବହୁ ସଂଖ୍ୟାକ ନକ୍ସଲଙ୍କୁ ନିପାତ କରିଛନ୍ତି। ନକ୍ସଲ ମୁକ୍ତ ଭାରତ ପାଇଁ ଆମର ସଂକଳ୍ପ ଏବଂ ଆମ ସୁରକ୍ଷା ବାହିନୀର ମିଳିତ ପ୍ରୟାସରେ ନକ୍ସଲବାଦ ଆଜି ଶେଷ ନିଶ୍ୱାସ ନେଉଛି” ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଏକ୍ସରେ କହିଛନ୍ତି।