ଆରଜି କର ଦୁଷ୍କର୍ମ-ହତ୍ୟା ମାମଲା: ସିଆଲଦା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ

କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପଶ୍ଚିମବଙ୍ଗ ସରକାର

କୋଲକାତା, ୨୧/୦୧: ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ଦୋଷୀ ବିରୋଧରେ ସିଆଲଦା କୋର୍ଟ ଦେଇଥିବା ରାୟ ବିରୋଧରେ ଯାଇ ହାଇକୋର୍ଟରେ ପୁନଃ ଶୁଣାଣି ପାଇଁ କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପଶ୍ଚିମବଙ୍ଗ ସରକାର।

ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମଙ୍ଗଳବାର କୋଲକାତା ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ସରକାର। ଆଡଭୋକେଟ ଜେନେରାଲ କିଶୋର ଦତ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଜଷ୍ଟିସ ଦେବାଂଶୁ ବାସକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଫାଶୀ ଦଣ୍ଡାଦେଶ ଦେବାକୁ ଆବେଦନ କରିଛନ୍ତି। ଆସନ୍ତା ୨୪ ତାରିଖରେ ଏହି ଆବେଦନର ଶୁଣାଣି କରାଯିବ‌।

ସୂଚନା ଥାଉ କି, ଗତ ୨୦୨୪ ଅଗଷ୍ଟ ୮ରେ ବିଳମ୍ବିତ ରାତିରେ ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ତା’ ପରଦିନ ସକାଳେ ହସ୍ପିଟାଲର ସେମିନାର ହଲରୁ ତାଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣା ପଡ଼ିଥିଲା। ଏହାର ୧୨ ଘଣ୍ଟା ପରେ ୧୦ ତାରିଖ ଦିନ ଅଭିଯୁକ୍ତ ସଞ୍ଜୟ ରାୟକୁ ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଇଥିଲା। ଏହି ଘଟଣାର ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା। ଗତ ୧୮ ତାରିଖରେ ଅଭିଯୁକ୍ତ ସଞ୍ଜୟକୁ ନିର୍ଦ୍ଦୋଷ ବୋଲି କହିଥିଲେ ସିଆଲଦା କୋର୍ଟ। ଗତ କାଲି ଏ ନେଇ ଅଭିଯୁକ୍ତ ସଞ୍ଜୟକୁ ଆଜୀବନ କାରାଦଣ୍ଡ ପାଇଁ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ। ଏହା ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ରାଜ୍ୟର ସରକାରଙ୍କୁ ମୃତ ଡାକ୍ତରଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସିବିଆଇ ଫାଶୀ ଦଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ସିବିଆଇ ଆବେଦନକୁ ଖାରଜ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ଏକ ବିରଳରୁ ବିରଳତମ ମାମଲା ନୁହେଁ ତେଣୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବୋଲି ବିଚାରପତି କହିଥିଲେ।

ତେବେ ଗତ କାଲି କୋର୍ଟ ପକ୍ଷରୁ ରାୟ ଆସିବା ପରେ ଶହ ଶହ ସଂଖ୍ୟକ ଡାକ୍ତରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ପୀଡ଼ିତାଙ୍କ ପରିବାର ମଧ୍ୟ କ୍ଷତିପୂରଣ ରାଶି ନେବା ପାଇଁ ମନା କରିବା ସ‌ହ ତାଙ୍କୁ ନ୍ୟାୟ ଦରକାର ବୋଲି କହିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ଯ କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଥିଲେ।