କାହିଁକି ୧୫ ହଜାର କୋଟିର ସମ୍ପତ୍ତି ହରାଇବେ ପଟୌଦି ପରିବାର

ସଙ୍କଟରେ ସୈଫଙ୍କ ସମ୍ପତ୍ତି।

ପାକିସ୍ତାନ ସହ କ’ଣ ରହିଛି ସମ୍ପର୍କ

ମୁମ୍ବାଇ, ୨୨/୦୧: କିଛି ଦିନ ଧରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ। ଗତ କିଛି ଦିନ ତଳେ ସୈଫଙ୍କ ଉପରକୁ ଆକ୍ରମଣ ହେଇଥିବା ବେଳେ ଗତ କାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ହେଲେ, ଏବେ ତାଙ୍କ ପରିବାରର ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କୁହା ଯାଉଛି, ସୈଫ ପ୍ରାୟ ୧୫ ହଜାର କୋଟି ମୂଲ୍ୟର ତାଙ୍କ ପୈତୃକ ସମ୍ପତ୍ତି ହରାଇ ପାରନ୍ତି।

ସୈଫ୍ ଅଲ୍ଲୀ ଖାନଙ୍କ ମଧ୍ୟପ୍ରଦେଶରେ ଥିବା ପଟୌଦି ପରିବାରର ୧୫ ହଜାର କୋଟି ଟଙ୍କାର ପୈତୃକ ସମ୍ପତ୍ତି ଉପରେ ଅଦାଲତ ସ୍ଥଗିତାଦେଶ ପ୍ରତ୍ୟାହାର କରିଛନ୍ତି। ଏଥିରୁ ଅଧିକାଂଶ ସମ୍ପତ୍ତି ଭୋପାଳରେ ରହିଛି। ଏହି ସମ୍ପତ୍ତି ବର୍ତ୍ତମାନ କେନ୍ଦ୍ର ନିୟନ୍ତ୍ରଣକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

କ’ଣ ରହିଛି ମାମଲା:

୧୯୪୭ ମସିହାରେ ଭୋପାଳ ଏକ ଦେଶୀୟ ରାଜ୍ୟ ଥିଲା ଏବଂ ଏହାର ଶେଷ ନବାବ ଥିଲେ ନବାବ ହମିଦୁଲ୍ଲା ଖାନ୍, ଯିଏ କି ମନସୁର ଅଲ୍ଲୀ ଖାଁ ପଟୌଦିଙ୍କ ଜେଜେବାପା ଥିଲେ। ନବାବ ହମିଦୁଲ୍ଲା ଖାନଙ୍କର ତିନୋଟି ଝିଅ ଥିଲେ, ଯେଉଁଥିମଧ୍ୟରୁ ବଡ଼ ଝିଅ ଆବିଦା ସୁଲତାନ ୧୯୫୦ ମସିହାରେ ପାକିସ୍ତାନ ଚାଲି ଯାଇଥିଲେ।

ତାଙ୍କର ଦ୍ୱିତୀୟ ଝିଅ ସାଜିଦା ସୁଲତାନ ଭାରତରେ ରହି ନବାବ ଇଫତିଖାର ଅଲ୍ଲୀ ଖାନ ପଟୌଦିଙ୍କୁ ବିବାହ କରିଥିଲେ ଏବଂ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ ହୋଇଥିଲେ। ନବାବ ଇଫତିଖାର ଅଲ୍ଲୀ ଖାନ ପଟୌଦି ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଜେଜେବାପା।

୨୦୧୯ରେ କୋର୍ଟ ସାଜିଦା ସୁଲତାନଙ୍କୁ ଆଇନଗତ ଉତ୍ତରାଧିକାରୀ ଭାବେ ମାନ୍ୟତା ଦେଇଥିଲେ ଏବଂ ତାଙ୍କ ନାତି ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ସମ୍ପତ୍ତିର ଅଂଶ ପାଇଥିଲେ। ତେବେ ଆବିଦା ସୁଲତାନ ପାକିସ୍ତାନକୁ ଯିବା ପରେ କେନ୍ଦ୍ର ସରକାର ଏହି ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବୋଲି ଦାବି କରିଥିଲେ। ଭୋପାଳର ନବାବଙ୍କ ସମ୍ପତ୍ତିକୁ ସରକାରୀ ସମ୍ପତ୍ତି ବୋଲି ଘୋଷଣା କରିବା ପରେ ପଟୌଦି ପରିବାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ପଟୌଦି ପରିବାର ଭୋପାଳ ଏବଂ ରାଇସେନରେ ସେମାନଙ୍କ ସମ୍ପତ୍ତି ଥିବା ଦାବି କରିଛନ୍ତି। ଏଥିରେ କୋହେଫିଜାର ଫ୍ଲାଗ ହାଉସ୍, ଅହମ୍ମଦାବାଦ ପ୍ୟାଲେସ ଏବଂ ରାଇସେନର ଅନ୍ୟ ପ୍ରପର୍ଟି, ନୁର-ଏ-ସବା ପ୍ୟାଲେସ, ଫ୍ଲାଗ ହାଉସ, ଦର-ଉସ୍-ସଲାମ ପ୍ୟାଲେସ, ଫର୍ସ ଖାନା ଓ ହବିବି ବଙ୍ଗଳା ସମେତ ଅନେକ କୋଠା ସେମାନଙ୍କର ବୋଲି ଦାବି କରିଛନ୍ତି।

ଏବେ ଏହା ଶତ୍ରୁ ସମ୍ପତ୍ତି ଆଇନ, ୧୯୬୮ ଅନୁଯାୟୀ ଏହା ଅଧିଗ୍ରହଣ ହୋଇପାରେ। ୧୯୪୭ରେ ବିଭାଜନ ପରେ ପାକିସ୍ତାନକୁ ଚାଲି ଯାଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଭାବେ ଦାବି କରି ନିଜ ଅଧିନକୁ ନେଇପାରନ୍ତି କେନ୍ଦ୍ର ସରକାର।