ସୈଫଙ୍କ ଉପରକୁ ଆକ୍ରମଣ ନେଇ ପ୍ରଶ୍ନ‌ ଉଠାଇଲେ ମହାରାଷ୍ଟ୍ର ମନ୍ତ୍ରୀ

ସତରେ ଛୁରାମାଡ ହୋଇଛି ନା ଏହା ସୈଫଙ୍କ ଅଭିନୟ

ମୁମ୍ବାଇ, ୨୩/୦୧: ଗତ କିଛି ଦିନ ତଳେ ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣା ସାରା ବଲିଉଡ୍ ଜଗତର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଜଣେ ତାରକା ହାଇ ସିକ୍ୟୁରିଟି ମଧ୍ୟରେ ଥାଇ ମଧ୍ଯ‌ କିଭଳି ଜଣେ ସାଧାରଣ ଦୁର୍ବୃତ୍ତର ଶିକାର ହେଉଛନ୍ତି ତାକୁ ନେଇ ଅସୁରକ୍ଷିତ ମଣୁଛନ୍ତି ବଲିଉଡ୍ ଷ୍ଟାର। ଦୁର୍ବୃତ୍ତ ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଆଡମିଟ ହୋଇଥିଲେ ସୈଫ। ହସ୍ପିଟାଲରେ ତାଙ୍କର ମେରୁଦଣ୍ଡରେ ସର୍ଜରୀ କରାଯାଇଥିଲା। ଏହା ପରେ ପାଞ୍ଚ ଦିନ ପରେ ସୈଫ୍ ଅଲ୍ଲୀ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ତେବେ ମହାରାଷ୍ଟ୍ରର ମନ୍ତ୍ରୀ ନିତେଶ ରାଣେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶ୍ନ କରିଛନ୍ତି ଯେ ଏହି ଘଟଣା ସତ ନା ୫୪ ବର୍ଷୀୟ ଅଭିନେତା କେବଳ ଅଭିନୟ କରୁଛନ୍ତି। ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଣେ କହିଛନ୍ତି, “ଡିସଚାର୍ଜ ହେବା ପରେ ଯେତେବେଳେ ମୁଁ ସୈଫ ଅଲ୍ଲୀ ଖାନଙ୍କୁ ଦେଖିଥିଲି, ସେତେବେଳେ ମୁଁ ସନ୍ଦେହ କରିଥିଲି ଯେ ତାଙ୍କୁ ପ୍ରକୃତରେ ଛୁରାମାଡ଼ କରାଯାଇଛି ନା କେବଳ ଅଭିନୟ କରୁଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଜଣେ ଖାନ୍ ଅସୁବିଧାରେ ଥାଆନ୍ତି ସେତେବେଳେ ବିରୋଧୀ ନେତାମାନେ ଅଭିନେତାଙ୍କୁ ନେଇ ଚିନ୍ତା ପ୍ରକଟ କରନ୍ତି। ସୈଫ ଅଲ୍ଲୀ ଖାନ, ଶାହାରୁଖ ଖାନଙ୍କ ପୁଅ ଏବଂ ଏନସିପି ନେତା ନବାବ ମଲିକଙ୍କୁ ନେଇ ସୁପ୍ରିୟା ସୁଲେ ଚିନ୍ତିତ ଅଛନ୍ତି। ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବେଳେ ଏନସିପି ନେତା ଜିତେନ୍ଦ୍ର ଆୱାଦ କିମ୍ବା ବାରାମତୀ ସାଂସଦ ସୁପ୍ରିୟା ସୁଲେ କାହିଁକି ସମର୍ଥନ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।