ଓଲା ଓ ଉବରକୁ କେନ୍ଦ୍ର ସରକାରଙ୍କ ନୋଟିସ୍

ଫୋନ ବଦଳିଲେ ବଦଳୁଛି ଭଡ଼ା

ନୂଆଦିଲ୍ଲୀ, ୨୩/୦୧: ଅନଲାଇନ ପରିବହନ ସଂସ୍ଥା ଓଲା ଓ ଉବରକୁ ନୋଟିସ ପଠାଇଛନ୍ତି କେନ୍ଦ୍ର ସରକାର। ଅନଲାଇନରେ ଟ୍ୟାକ୍ସି ବୁକିଂ କଲେ ଭିନ୍ନ ଭିନ୍ନ ମୋବାଇଲ ବ୍ୟବହାରକାରୀମାନଙ୍କୁ ଭିନ୍ନ ଭିନ୍ନ ଭଡ଼ା ଦେଖାଉଥିବାରୁ ଜବାବ ମାଗିଛନ୍ତି କେନ୍ଦ୍ର ସରକାର।

ଗ୍ରାହକ ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ଡିଭାଇସ୍ ବ୍ୟବହାର କରୁଛନ୍ତି କି ନାହିଁ ତାହା ଉପରେ ନିର୍ଭର କରି ଦୁଇ କମ୍ପାନୀ ଗୋଟିଏ ସେବା ପାଇଁ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରୁଥିବା ଖବର ଆସିବା ପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିସିପିଏ ଏହାର ନୋଟିସରେ କଂପାନିଗୁଡ଼ିକୁ ସମାନ ମୂଲ୍ୟ ନିର୍ଦ୍ଧାରଣ କରିବାକୁ କହିଛି। ଏ ନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଗୁରୁବାର ସୂଚନା ଦେଇଛନ୍ତି।

ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ ଜରିଆରେ ବୁକିଂ କରିବା ସମୟରେ ବ୍ୟବହାରକାରୀଙ୍କଠାରୁ ସମାନ ଯାତ୍ରା ପାଇଁ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରାଯାଉଛି ବୋଲି ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶ ପାଇବା ପରେ ସରକାର ଓଲା ଏବଂ ଉବରକୁ ଜବାବ ମାଗିଛନ୍ତି।