ସ୍ପଷ୍ଟୀକରଣ ରଖିଲା ଓଲା ଓ ଉବର

ଫୋନ୍ ଆଧାରରେ ଭଡ଼ା ନିର୍ଦ୍ଧାରଣ ଖବର ଭୁଲ ବୁଝାମଣା

ନୂଆଦିଲ୍ଲୀ, ୨୪/୦୧: କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ ପକ୍ଷରୁ କ୍ୟାବ୍ ଆଗ୍ରିଗେଟର୍ ଓଲା ଏବଂ ଉବେରକୁ ନୋଟିସ୍ ଜାରି କରିବା ପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଉଭୟ କମ୍ପାନୀ। ଉଭୟ କମ୍ପାନୀ ବ୍ୟବହାରକାରୀଙ୍କ ଫୋନ୍ ମଡେଲ୍ ଆଧାରରେ ଭଡ଼ା ନିର୍ଦ୍ଧାରଣ କରିନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ଯେକୌଣସି ଭୁଲ ବୁଝାମଣା ଦୂର କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନିଗୁଡ଼ିକ କହିଛନ୍ତି।

ଏକ ବିବୃତିରେ ଓଲା କଞ୍ଜ୍ୟୁମର ମୁଖପାତ୍ର କହିଛନ୍ତି, ଆମର ସମସ୍ତ ଗ୍ରାହକଙ୍କ ପାଇଁ ଏକ ସମାନ ମୂଲ୍ୟ ଢାଞ୍ଚା ରହିଛି ଏବଂ ଆମେ ସମାନ ରାଇଡ୍ ପାଇଁ ଉପଭୋକ୍ତାଙ୍କ ସେଲ୍ ଫୋନର ଅପରେଟିଂ ସିଷ୍ଟମ୍ ଆଧାରରେ ପାର୍ଥକ୍ୟ କରୁନାହୁଁ।

ଗ୍ରାହକ ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ଡିଭାଇସ୍ ବ୍ୟବହାର କରୁଛନ୍ତି କି ନାହିଁ ତାହା ଉପରେ ନିର୍ଭର କରି ଓଲା ଏବଂ ଉବର ଭିନ୍ନ ଭିନ୍ନ ଭଡ଼ା ଆଦାୟ କରୁଥିବା ଖବର ସାମନାକୁ ଆସିବା ପରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ କାଲି ଉଭୟ କମ୍ପାନୀକୁ ନୋଟିସ ପଠାଇଥିଲା।