ଓଡ଼ିଶା ଆଉଟଷ୍ଟାଣ୍ଡିଂ: ଶିଳ୍ପ ମହାକୁମ୍ଭରେ ମୋଦି

ଭୁବନେଶ୍ୱରର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିରାସତ ଓ ବିକାଶର ଅପୂର୍ବ ସମନ୍ବୟ ଓଡିଶା

ଭୁବନେଶ୍ୱର, ୨୮/୦୧: ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ଉତ୍କର୍ଷ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଚ ଉପରେ ମୋମେଣ୍ଟମ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ। ଏହା ପରେ ମଞ୍ଚ ତଳକୁ ଆସି ନିବେଶକଙ୍କ ସହ କରମର୍ଦ୍ଦନ କରି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟପାଳ ହରିବାବୁ କମ୍ଭମପତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହଦେଓଙ୍କ ସହ ମନ୍ତ୍ରୀମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୮ଟି ଦେଶରୁ ୭୫୦୦ ନିବେଶକ ଓ ଅଧିକାରୀ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଥିଲେ, ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦ୍ଘାଟନ ହୋଇଥିବାରୁ ଓଡିଶାବାସୀ ବହୁ ଗର୍ବ ଓ ଗୌରବ ଅନୁଭବ କରୁଛୁ। ଶିଳ୍ପପତିଙ୍କୁ ଓଡ଼ିଶାରେ ସ୍ୱାଗତ। ନୂଆ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ୫ ଥର‌ ଓଡିଶା ଆସିଲେଣି। ଏହା ଓଡ଼ିଶା ପ୍ରତି ଭଲପାଇବା ଦର୍ଶାଉଛି। ଓଡ଼ିଶା ଦେଶର ଗ୍ରୋଥ ଇଞ୍ଜିନ ହେବାକୁ ଯାଉଛି। ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଭାରତର ବିକାଶରେ ଓଡ଼ିଶାର ଯୋଗ ଦାନ ରହିବ। ୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧି ପଥରେ ଆଗକୁ ବଢିବ। ଓଡ଼ିଶାରେ ନିବେଶ ପାଇଁ ଆସିଥିବାରୁ ଶିଳ୍ପପତିଙ୍କୁ ଧନ୍ୟବାଦ। ଓଡ଼ିଶାରେ ସ୍କିଲ୍ଡ ୱାର୍କ ଫୋର୍ସ, ଆଇଟି ଓ ସେମି କଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ରହିଛି। ଓଡ଼ିଶାର ବିକାଶରେ ଆପଣମାନେ ସାମିଲ ହୁଅନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରି କରି କହିଥିଲେ ଯେ, ୨୦୨୫ ଜାନୁଆରୀରେ ଓଡିଶାକୁ ଏହା ମୋର ଦ୍ବିତୀୟ ଗସ୍ତ। ଗତ ଥର ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲି। ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେଲି। ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ଆୟୋଜନ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ଏହା ସବୁଠୁ ବଡ଼ ବ୍ୟବସାୟିକ ସମ୍ମିଳନୀ। ଏଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ପୂର୍ବ ତୁଳନାରେ ୬ ଗୁଣ ଅଧିକ ଶିଳ୍ପପତି ସାମିଲ। ଓଡ଼ିଶାରେ ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ। ଓଡ଼ିଶାରେ ସମ୍ଭାବନାର ବହୁ ଦ୍ୱାରା ଖୋଲିଛି‌। ଓଡ଼ିଶା ନୂଆ ଭାରତର ବାସ୍ତବତାର ପ୍ରତୀକ। ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ଆଡ଼କୁ ଗତି କରୁଛି। ଦେଶର ବିକାଶରେ ପୂର୍ବ ଭାରତ ଗ୍ରୋଥ ଇଞ୍ଜିନ। ଏଥିରେ ଓଡ଼ିଶାର ବଡ଼ ଭୂମିକା ରହିଛି।

ଓଡ଼ିଶାରେ ଏହା ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ। ଓଡ଼ିଶାର ପୁରାତନ ବନ୍ଦର ଭାରତର ଗେଟ୍ ୱେ। ଗୋପାଳପୁର ଓ ପାରାଦୀପରେ ଶିଳ୍ପ ପାର୍କ ପ୍ରତିଷ୍ଠା ହେଉଛି। ପୂର୍ବ ଗୌରବଶାଳୀ ଇତିହାସକୁ ପୁନର୍ଜୀବିତ କରୁଛି ଓଡ଼ିଶା। ଓଡ଼ିଶାରେ ପ୍ରାୟ ୫୦୦ କିମିର ସମୁଦ୍ର ବେଳାଭୂମି ରହିଛି।

ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଛି। ଓଡ଼ିଶାରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ବିରାସତ ଓ ବିକାଶର ଅପୂର୍ବ ସମନ୍ୱୟ ଓଡିଶା। ଖଣି, ପର୍ଯ୍ୟଟନ, ସୋଲାର, ଗ୍ରୀନ ଏନର୍ଜି, ଫୁଡ୍ ପ୍ରୋସେସିଂ ଓ ଟେକ୍ସଟାଇଲ କ୍ଷେତ୍ରରେ ଓଡ଼ିଶା ଆଗରେ। ଏଠାରେ ନିବେଶ ପାଇଁ ଅପାର ସୁଯୋଗ ରହିଛି। ଏହି ସମୟ ଠିକ୍ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ମୁଁ ତାଙ୍କୁ ସମର୍ଥନ କରୁଛି। ସବୁ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ।

ଓଡ଼ିଶା ଆଉଟଷ୍ଟାଣ୍ଡିଂ ବା ଉତ୍କୃଷ୍ଟ ଅଟେ। ଓଡ଼ିଶାରେ ଆଧୁନିକ ଇକୋ ସିଷ୍ଟମ ନିର୍ମାଣ ହେବା ଦରକାର। ତା’ପରେ ଓଡ଼ିଶା ଉତ୍କର୍ଷ ହେବ। ଓଡ଼ିଶା ସମ୍ବଳ ଉପଯୋଗ ପାଇଁ ଶିଳ୍ପ ପ୍ରତିଷ୍ଠା ଜରୁରୀ। ଓଡ଼ିଶା ଖୁବ ଶୀଘ୍ର ଉଚ୍ଚରେ ପହଞ୍ଚିବ। ଯାହା କେହି କେବେ କଳ୍ପନା କରିନଥିବେ। ବର୍ତ୍ତମାନ ଏଆଇ ର ଯୁଗ। ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ଵ କରୁଛି। ଓଡ଼ିଶା ଭାରତର ଲିଡିଂ ଷ୍ଟେଟ ମଧ୍ୟରୁ ଅନ୍ୟତମ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ଓଡ଼ିଶା ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚିବ। ଓଡ଼ିଶାରେ ନିଯୁକ୍ତିର ବିରାଟ ସୁଯୋଗ ସୃଷ୍ଟି ହେବ। ଏହା ମୋଦି ଗ୍ୟାରେଣ୍ଟି।

ଓଡ଼ିଶା ସହ ସମ୍ପର୍କକୁ ନେଇ ସିଙ୍ଗାପୁର ବହୁତ ଉତ୍ସାହିତ। ସିଙ୍ଗାପୁର ରାଷ୍ଟ୍ରପତି ନିକଟରେ ଆସି ଏହି ସମ୍ଭାବନାକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି କହିଛନ୍ତି ତାଙ୍କ ଡିଏନଏରେ ଓଡ଼ିଶା ଅଛି। ମୋ ସହ କଥା ହେବା ବେଳେ‌ ସେ ଏହି କଥା କହିଛନ୍ତି।

ଓଡ଼ିଶାର ଲୋକ ସଚ୍ଚୋଟ। ସେମାନେ ଉତ୍କର୍ଷତା ଦେଖାଇବାକୁ ଇଚ୍ଛୁକ। ଓଡ଼ିଶାବାସୀଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀକୁ ମୁଁ ଅନୁଭବ କରିଛି। ଫେବ୍ରୁଆରିରେ ଭାରତରେ ବିଶ୍ୱ ଅଡିଓ ଓ ଭିଡିଓ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର ଓଡ଼ିଶା ଆସିଲେଣି। ଆଜି ଯାଏଁ ସବୁ ପ୍ରଧାନମନ୍ତ୍ରୀ ମିଶି ଯେତିକି ଥର ଆସି ନଥିବେ ମୁଁ ତା’ଠାରୁ ବହୁ ଅଧିକ ଥର ଓଡ଼ିଶା ଆସିଲେଣି। ଏହା ହିଁ ଓଡ଼ିଶାବାସୀଙ୍କ ପ୍ରତି ମୋର ଭଲପାଇବା। ଓଡ଼ିଶାବାସୀଙ୍କ ଉପରେ ଯଥେଷ୍ଟ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।