ରାଜ୍ୟ ସରକାରଙ୍କ ଆତିଥେୟତାରେ ବିଭୋର ପ୍ରବାସୀ
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଥିଲା।
ମୁଖ୍ୟମନ୍ତ୍ରୀଙ୍କୁ ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର, ୩୧/୦୧: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଭୂରି ପ୍ରଶଂସା କରିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର। ଗତ ୮ରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ୱର ର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଶଂସା କରିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରବାସୀମାନେ ରାଜ୍ୟ ସରକାରଙ୍କ ଆତିଥ୍ୟକୁ ପ୍ରଶଂସା କରିବା ସହ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ମୋ ମନ୍ତ୍ରାଳୟ ଓଡ଼ିଶା ସହଭାଗିତାରେ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆଶା ରଖିଛି।
ସୂଚନାଯୋଗ୍ୟ, ଗତ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଶର ପୂର୍ବ ରାଜ୍ୟ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ସମ୍ମିଳନୀ ଆୟୋଜିତ କରିଥିଲା। ଏଥିରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ୱରର ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରିଥିଲେ।