ସରକାରଙ୍କ ପ୍ରମୁଖ ୪ ନୀତି: ସେବା, ସୁଶାସନ, ସମୃଦ୍ଧି ଓ ଗୌରବ
ବିକଶିତ ଭାରତ ଗଠନରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୩୧/୦୧: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ପ୍ରଥମେ ବାବାସାହେବ ଆମ୍ବେଦକର ଏବଂ ସମ୍ବିଧାନ ପ୍ରଣେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହ ମହାକୁମ୍ଭରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସୁଥିବା ବେଳେ ମୌନି ଅମାବାସ୍ୟାରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ. ମନମୋହନ ସିଂହଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ, ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳରେ ସଫଳତା ହାସଲ କରି ମୋ ସରକାର ଏକ ନୂତନ ଜାଗରଣ ସୃଷ୍ଟି କରିଛନ୍ତି। ଏହି ତୃତୀୟ ପାଳିରେ ତିନି ଗୁଣ କାମ ବୃଦ୍ଧି ପାଇଛି। ଗରିବ, ମଧ୍ୟବିତ୍ତ, ଯୁବଗୋଷ୍ଠୀ, ମହିଳା ଓ କୃଷକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେଇଛି ମୋ ସରକାର।
ମୋ ସରକାରର ତୃତୀୟ ପାଳିରେ ସମସ୍ତଙ୍କୁ ପକ୍କା ବାସଗୃହ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଆମେ ଅତିରିକ୍ତ ୩ କୋଟି ପରିବାରକୁ ନୂଆ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି।
ଗ୍ରାମୀଣ ଗରିବଙ୍କୁ ଜମିର ମାଲିକାନା ଅଧିକାର ଦେବା ଓ ଅର୍ଥନୀତିରେ ସୁଧାର ଆଣିବା ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ସ୍ୱାମିତ୍ୱ ଯୋଜନା ଅଧୀନରେ ଆମେ ବର୍ତ୍ତମାନ ସୁଦ୍ଧା ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରଦାନ କରି ସାରିଛୁ। କେବଳ ଗତ ଛଅ ମାସ ମଧ୍ୟରେ ପ୍ରାୟ ୭୦ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରାଗଲାଣି।
ଗତ କିଛି ମାସରେ ‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାରେ ଚାଷୀମାନଙ୍କୁ ୪୧ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ‘ଧରତି ଆବା ଆଦିବାସୀ ଗ୍ରାମ ଉତ୍କର୍ଷ’ ଅଧିନରେ ଦେଶର ପ୍ରାୟ ୫ କୋଟି ଆଦିବାସୀ ସଂପ୍ରଦାୟର ଲୋକଙ୍କ ବିକାଶ ପାଇଁ ୮୦ ହଜାର କୋଟିର ବ୍ୟୟବରାଦ ହୋଇଛି। ‘ଆୟୁଷ୍ମାନ ଭାରତ ଯୋଜନା’ ଅଧିନରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ୬ କୋଟି ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ। ମୁଦ୍ରା ଯୋଜନାରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବା ପାଇଁ ଅର୍ଥ ରାଶି ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ମୋ ସରକାର ଯୁବବର୍ଗଙ୍କ ଶିକ୍ଷା ଏବଂ ସେମାନଙ୍କ ନିଯୁକ୍ତି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି। ଯୁବବର୍ଗଙ୍କୁ ନିଯୁକ୍ତି ଦେବା ପାଇଁ ଦେଶର ୫୦୦ କମ୍ପାନୀରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଓ ନିଯୁକ୍ତି ମୂଳକ ପରୀକ୍ଷାରେ ପେପର ଲିକ୍ ଘଟଣାକୁ ରୋକିବା ପାଇଁ ନୂତନ ଆଇନ ପ୍ରଣୟନ କରାଯାଇଛି। ସରକାର ‘ତ୍ରିଭୁବନ’ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ଚତୁର୍ଥ ପର୍ଯ୍ୟାୟରେ ୨୫ ହଜାର ଅଞ୍ଚଳକୁ ସଂଯୋଗ କରିବା ପାଇଁ ୭୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବର୍ତ୍ତମାନ ସମଗ୍ର ଦେଶରେ ୭୧ଟି ବନ୍ଦେ ଭାରତ, ଅମୃତ ଭାରତ ଏବଂ ନମୋ ଭାରତ ଟ୍ରେନ୍ ଚଳାଚଳ କରୁଛି। ‘ଏକ ଦେଶ-ଏକ ନିର୍ବାଚନ’ ଏବଂ ‘ଓ୍ଵାକଫ୍ ଆଇନ ସଂଶୋଧନ’ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର।
‘ବିକଶିତ ଭାରତ’ ଗଠନ ସ୍ୱପ୍ନ ହାସଲ କରିବାରେ ଜନସାଧାରଣଙ୍କ ଭାଗିଦାରୀ ରହିଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ଦେଶକୁ ଆଗେଇ ନେଉଛନ୍ତି। ବିକଶିତ ଭାରତ ଅଭିମୁଖେ ଯାତ୍ରାକୁ ସରକାର ଚାରୋଟି ପ୍ରମୁଖ ନୀତି- ସେବା, ସୁଶାସନ, ସମୃଦ୍ଧି ଏବଂ ଗୌରବକୁ ନିଜ ଶାସନଠୁ ଉପରେ ରଖିଛନ୍ତି। ମୋ ସରକାରଙ୍କ ମନ୍ତ୍ର ହେଉଛି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”।
ଗରୀବ ଲୋକଙ୍କୁ ସମ୍ମାନଜନକ ଜୀବନଯାପନ ପ୍ରଦାନ କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ୧୨ କୋଟି ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧୦ କୋଟି ମାଗଣା ଏଲପିଜି ସଂଯୋଗ, ୮୦ କୋଟି ନାଗରିକଙ୍କ ପାଇଁ ରାସନ, ସୌଭାଗ୍ୟ ଯୋଜନା ଏବଂ ଜଳ ଜୀବନ ମିଶନ ସରକାର ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ପ୍ରୟାସ ଯୋଗୁଁ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉଠି ମଧ୍ୟବିତ୍ତ ଶ୍ରେଣୀରେ ସାମିଲ ହୋଇଛନ୍ତି।
ନିକଟରେ ମୋ ସରକାର ସରକାରୀ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଆଗାମୀ ବର୍ଷଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ୫୦ ପ୍ରତିଶତ ପେନସନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ମଧ୍ୟବିତ୍ତ ଶ୍ରେଣୀର ଲୋକେ ଘରର ସ୍ୱପ୍ନକୁ ପୂରଣ କରିବା ପାଇଁ ଗୃହ ଋଣ ଉପରେ ସବସିଡି ଯୋଗାଇ ଦିଆଯାଉଛି। ଉଡାଣ ଯୋଜନା ଦ୍ୱାରା ପ୍ରାୟ ଦେଢ଼ କୋଟି ଲୋକ ବିମାନରେ ଯାତ୍ରା କରିବାର ସ୍ୱପ୍ନ ପୂରଣ କରିଛନ୍ତି। ଜନ ଔଷଧି କେନ୍ଦ୍ରରେ ୮୦% ରିହାତି ଦରରେ ଔଷଧ ମିଳିବା ଦ୍ୱାରା ସାଧାରଣ ଲୋକଙ୍କ ୩୦ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି।
ଦେଶ ନିର୍ମାଣରେ ଟିକସଦାତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ମୋ ସରକାର ଟିକସ ସମ୍ବନ୍ଧୀୟ ପ୍ରକ୍ରିୟାକୁ ସରଳ କରିଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି।
ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ୯୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରାଯାଉଛି। ଏଥିରେ ପ୍ରାୟ ୧୦ କୋଟି ମହିଳା ଯୋଡ଼ି ହୋଇ ପାରିଛନ୍ତି। ମୋ ସରକାର ୩ କୋଟି ଲକ୍ଷପତି ଦିଦି ଗଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷପତି ଦିଦି ମାନେ ସେମାନଙ୍କ ପରିବାରର ଆର୍ଥିକ ଉନ୍ନତିରେ ସହଯୋଗ କରୁଛନ୍ତି। ମହିଳାଙ୍କ ଅର୍ଥନୀତି କ୍ଷେତ୍ରରେ ସଶକ୍ତ କରିବା ପାଇଁ ଡ୍ରୋନ୍ ଦିଦି ଯୋଜନା ଆରମ୍ଭ କରାଯାଇଛି। ଆମ ଝିଅମାନେ ସମାଜର ସବୁ କ୍ଷେତ୍ରରେ ପାଦ ଥାପିଛନ୍ତି। ଏହି ସଂସଦ ଭବନରୁ ମୁଁ ‘ନାରୀ ଶକ୍ତି’କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି କ୍ରୀଡ଼ା ଓ ମହାକାଶ ଗବେଷଣା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶର ଯୁବଗୋଷ୍ଠୀମାନେ ଦେଶକୁ ଗର୍ବିତ କରୁଛନ୍ତି। ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଗତ ଦୁଇ ବର୍ଷ ମଧ୍ୟରେ ସରକାର ରେକର୍ଡ ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରିଛନ୍ତି। ଯୁବଗୋଷ୍ଠୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମୋ ସରକାର ୨ ଲକ୍ଷ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି।
ଜାତୀୟ ଶିକ୍ଷାନୀତି ଜରିଆରେ ମୋ ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। କେହି ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମାତୃଭାଷାରେ ପାଠ ପଢ଼ିବାର ସୁଯୋଗ ଯୋଗାଇ ଦିଆଯାଉଛି। ସେହିପରି ୧୩ଟି ଆଞ୍ଚଳିକ ଭାଷାରେ ଏବେ ନିଯୁକ୍ତି ମୂଳକ ପରୀକ୍ଷା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତର ଉଚ୍ଚଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ ବୃଦ୍ଧି ପାଇଛି। କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ଏସିଆ ରାଙ୍କିଙ୍ଗରେ ୧୬୩ଟି ଭାରତୀୟ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି ।
ଦେଶରେ ବିଶ୍ୱସ୍ତରୀୟ କ୍ରୀଡ଼ା ସୁଯୋଗ ସୃଷ୍ଟି କରିବା ପାଇଁ ମୋ ସରକାର ଖେଲୋ ଇଣ୍ଡିଆ ଯୋଜନା, ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ) ଏବଂ ନ୍ୟାସନାଲ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିବ୍ୟାଙ୍ଗ ଆଥଲେଟଙ୍କ ପାଇଁ ଗ୍ୱାଲିୟରରେ ଏକ ସ୍ୱତନ୍ତ୍ର କ୍ରୀଡ଼ା କେନ୍ଦ୍ର ଖୋଲାଯାଇଛି।
ଶିକ୍ଷାନୁଷ୍ଠାନରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ‘ବିଜ୍ଞାନ ଧାରା’ ଯୋଜନାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଲିଡିଂ ରାଷ୍ଟ୍ରମାନଙ୍କ ଭିତରେ ଭାରତକୁ ସ୍ଥାନିତ କରିବା ପାଇଁ ଜାତୀୟ କ୍ୱାଣ୍ଟମ ମିଶନ ଆରମ୍ଭ ହୋଇଛି। ମୋ ସରକାର ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ BioE3 ନୀତି ପ୍ରଣୟନ କରିଛନ୍ତି ।
‘ଗୋଟିଏ ଦେଶ, ଗୋଟିଏ ଟିକସ’ର ଭାବନା ନେଇ ଜିଏସଟି ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଦେଶର ସମସ୍ତ ରାଜ୍ୟ ଉପକୃତ ହେଉଛନ୍ତି। ଭାରତର ୟୁପିଆଇ ଟେକ୍ନୋଲୋଜି ମଧ୍ୟ ଅନେକ ବିକଶିତ ଦେଶକୁ ପ୍ରଭାବିତ କରିଛି। ଏବେ ଭାରତର ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ ପେମେଣ୍ଟ ଆପଣାଇଲେଣି।ବ୍ୟାଙ୍କିଂ ସେବା ଏବଂ ୟୁପିଆଇ ଏବେ ଗାଁ ଗାଁରେ ମଧ୍ୟ ଉପଲବ୍ଧ ହେଲାଣି। ବିଗତ ୧୦ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ କମନ୍ ସର୍ଭିସ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଯେଉଁଠି ଲୋକମାନେ ଗୋଟିଏ ସ୍ଥାନରେ ସବୁ ସୁବିଧା ପାଇଁ ପାରୁଛନ୍ତି। ଭାରତ ଗ୍ଲୋବାଲ ସାଇବର ସିକ୍ୟୁରିଟି ଇଣ୍ଡେକ୍ସରେ ଟିୟର-୧ ସ୍ଥାନ ପାଇଛି।
ମୋ ସରକାର ଦେଶର ପ୍ରତ୍ୟେକ ଭାଗକୁ ରାଜପଥ ଏବଂ ଏକ୍ସପ୍ରେସ ୱେ ସହିତ ଯୋଡିବା ପାଇଁ ମିଶନ ମୋଡରେ କାମ କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ମୋ ସରକାର ଭିତ୍ତିଭୂମି ସୁଦୃଢ କରିବାକୁ ଗୁରୁତ୍ୱ ଦେଉଛନ୍ତି। ବଧବନଠାରେ ଭାରତର ପ୍ରଥମ ଗଭୀର ଜଳ ମେଗା ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୭୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦର ବିଶ୍ୱର ଶ୍ରେଷ୍ଠ ୧୦ ବନ୍ଦର ମଧ୍ୟରେ ସ୍ଥାନ ପାଇବ। ମୋ ସରକାର ଦେଶର ବିଭିନ୍ନ ସହରରେ ୨୮,୦୦୦ କୋଟି ଟଙ୍କା ବ୍ୟୟରେ ୧୨ଟି ଶିଳ୍ପ ନୋଡ୍ ଏବଂ ୧୦୦ଟି ଶିଳ୍ପ ପାର୍କ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସାରା ଦେଶରେ ୧,୭୫,୦୦୦ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ନୂଆ ସିଟ୍ ସୃଷ୍ଟି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।
ଭାରତରେ ଏକ ଆଧୁନିକ ଏବଂ ଆତ୍ମନିର୍ଭରଶୀଳ କୃଷି ବ୍ୟବସ୍ଥା ଗଢ଼ିବା ଆମର ଲକ୍ଷ୍ୟ। ଫସଲ ଉତ୍ପାଦନ ବୃଦ୍ଧି ଓ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ମୋ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୩-୨୪ରେ ଭାରତ ୩୩୨ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ତୈଳବୀଜ ଉତ୍ପାଦନ ବୃଦ୍ଧି ତୈଳବୀଜ ଉପରେ ଏକ ଜାତୀୟ ମିଶନ ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ପାଇଁ ଜାତୀୟ ମିଶନ ଆରମ୍ଭ କରାଯାଇଛି। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ପାଇଁ ୧୧ଟି ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା କରାଯାଉଛି।
ସମବାୟ କ୍ଷେତ୍ରର ଅର୍ଥନୈତିକ ସଶକ୍ତୀକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ୨୦୨୫ ବର୍ଷକୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ପାଳନ କରାଯାଉଛି। ଏହି ବିଶ୍ୱସ୍ତରୀୟ ପଦକ୍ଷେପରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଦଳିତ, ପଛୁଆ ଓ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ମୋ ସରକାର ନିରନ୍ତର ପ୍ରୟାସ କରି ଚାଲିଛି। ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଆମ ଆଦିବାସୀ ସମ୍ପ୍ରଦାୟ ଅବହେଳାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ମୋ ସରକାର ସେମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି। ୪୭୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୩୦ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।
ସମାଜର ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କୁ ସହଜରେ ଋଣ ଯୋଗାଇଦେବା ପାଇଁ ପିଏମ୍-ସୁରଜ ଯୋଜନାର ଆହୁରି ସମ୍ପ୍ରସାରଣ କରାଯାଇଛି। ସରକାରୀ ଯୋଜନାର ଲାଭ ଭିନ୍ନକ୍ଷମଙ୍କ ପାଖରେ ପହଞ୍ଚାଇବା ପାଇଁ ୧ କୋଟିରୁ ଅଧିକ ଦିବ୍ୟାଙ୍ଗ ପରିଚୟପତ୍ର ଜାରି କରାଯାଇଛି। ‘ବିକଶିତ ଭାରତ’ର ଯାତ୍ରାରେ ଯେପରି କେହି ପଛରେ ନ ପଡ଼ିବେ, ସେଥିପାଇଁ ମୋ ସରକାର ନିଷ୍ଠାର ସହ କାମ କରୁଛନ୍ତି।