ନୂଆଦିଲ୍ଲୀ, ୩୧/୦୧: ଆଜି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସାରା ଦେଶକୁ ରାଷ୍ଟ୍ରପତି ସମ୍ବୋଧିତ କରୁଥିବା ବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଅଭିଭାଷଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧୀ।
ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଭବନ ପକ୍ଷରୁ ବିବୃତିରେ କୁହାଯାଇଥିଲା ଯେ, ଦେଶର ସର୍ବୋଚ୍ଚ ପଦବୀର ଗରିମା କ୍ଷୁଣ୍ଣ କରାଯାଉଛି। ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସୋନିଆ ଗାନ୍ଧିଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ରାଷ୍ଟ୍ରପତି କୌଣସି ମୁହୂର୍ତ୍ତରେ ମଧ୍ୟ ଥକି ନଥିଲେ। ବାସ୍ତବରେ, ସେ ବିଶ୍ୱାସ କରନ୍ତି ଯେ ତାଙ୍କ ଅଭିଭାଷଣ ସମୟରେ ଅବହେଳିତ ସମ୍ପ୍ରଦାୟ, ମହିଳା ଏବଂ କୃଷକମାନଙ୍କ ପାଇଁ କଥା ହେବା କେବେ ବି କ୍ଳାନ୍ତକର ହୋଇପାରିବ ନାହିଁ।
“ଅଭିଭାଷଣ ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ ବିଶେଷ କିଛି କହିପାରୁନଥିଲେ। ଗରୀବ କଥା!” ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ସୋନିଆ ଗାନ୍ଧି। ଏହା ସହ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସୋନିଆଙ୍କ କଥାକୁ ସମର୍ଥନ ଜଣାଇଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ସୋନିଆଙ୍କୁ ସମର୍ଥନ କରି କହିଥିଲେ ଯେ, ମୋ ମା’ ଜଣେ ୭୦-୮୦ ବର୍ଷୀୟା ବୃଦ୍ଧା। ସେ ସିଧାସଳଖ କହିଥିଲେ ଯେ ରାଷ୍ଟ୍ରପତି ଏତେ ଲମ୍ବା ଭାଷଣ ପଢ଼ିଥିଲେ ଏବଂ ନିଶ୍ଚୟ ଥକି ଯାଇଥିବେ। ସେ ଭାରତର ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦିଅନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଏହାକୁ ବିକୃତ କରାଯାଇଛି।