ମେରୀ ବେବସ୍ ସ୍କୁଲର ୨୦ ତମ ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ବ୍ୟକ୍ତିତ୍ୱ ଓ ମୂଲ୍ୟବୋଧର ବିକାଶ ପାଇଁ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଦାୟୀ।

ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷିତ

ପଟିଆ, ୦୩/୦୨: ପ୍ରତିଭା ଶିକ୍ଷା ଅନୁଷ୍ଠାନ ଦ୍ୱାରା ପରିଚାଳିତ ତଥା ଶିଳ୍ପୀ ସଙ୍ଗୀତ ଓ ନୃତ୍ୟ ସ୍କୁଲ ସହଭାଗିତାରେ ମେରୀ ବେବସ୍ ସ୍କୁଲର ୨୦ ତମ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ୍ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ ଛାତ୍ର ଛାତ୍ରୀ ମାନଙ୍କ ବୋୖଦ୍ଧିକ, ବ୍ୟକ୍ତିତ୍ଵ ଓ ମୂଲ୍ୟବୋଧର ବିକାଶ ପାଇଁ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଗୁରୁ ଦାୟିତ୍ବ ରହିଛି। ସେମାନେ ପିଲା ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଆବିଷ୍କାର କରି ସେମାନଙ୍କୁ ଦିଗଦର୍ଶନ ଦେବା ଆବଶ୍ୟକ। ଉତ୍ସବର ସମ୍ମାନିତ ଅତିଥି ଭାବେ ପ୍ରଯୋଜକ ତଥା ଅଭିନେତ୍ରୀ ଶ୍ରୀମତୀ ସୌଭାଗ୍ୟ ଲକ୍ଷ୍ମୀ ଜେନା ଯୋଗ ଦେଇ ପିଲାମାନଙ୍କର ଭବିଷ୍ୟତ ଗଢିବାରେ ପିତା ମାତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଉତ୍ସବର ଅନ୍ୟତମ ଅତିଥିଭାବେ ଲେଖିକା‌ ତଥା ମନସ୍ତତ୍ତ୍ୱବିଦ ଶ୍ରୀମତୀ ଅନସୂୟା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଛୋଟ ଛୋଟ ପିଲାଙ୍କ ମନରେ କଣ ରହିଛି ତାକୁ ଅନୁଶୀଳନ କରି ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି। ଏଥିରେ ଅନୁଷ୍ଠାନର ନିର୍ଦେଶକ ଅନୀଲ କୁମାର ରାଉତ ସ୍ବାଗତ ସମ୍ଭାଷଣ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ମେରୀ ବେବସ୍ ସ୍କୁଲ ଏବଂ ଶିଳ୍ପୀ ସଙ୍ଗୀତ ଓ ନୃତ୍ୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।