ଓଡ଼ିଶାର ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ଭିଜନ ପୂରଣ କରିବ ବଜେଟ୍

• ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ । • କେନ୍ଦ୍ର ବଜେଟରେ ହୋଇଥିବା ଆନୁଷଙ୍ଗିକ ଯୋଜନା ଓ ବ୍ୟବସ୍ଥା ଓଡ଼ିଶାର ନୂଆପିଢିକୁ ନୂଆ ଦିଶା ଦେବ । • ଶିକ୍ଷା, କୃଷି, ଶିଳ୍ପ, ଷ୍ଟାର୍ଟଅପ୍, ଏମଏସଏମଇ, ପର୍ଯ୍ୟଟନ ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ବ୍ୟବସ୍ଥାରୁ ସିଂହଭାଗ ଲାଭ ପାଇବ ଓଡ଼ିଶା ।

କେନ୍ଦ୍ର ବଜେଟରୁ ଓଡ଼ିଶା ହେବ ସବୁଠୁ ବଡ଼ ଲାଭାର୍ଥୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୩/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁଠୁ ବଡ ଲାଭାର୍ଥୀ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଚଳିତ ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ଆହୁରି ସହଜ କରିବ ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ଭାବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହାକୁ କଳ୍ପନାରେ ରଖି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ୨୦୨୫-୨୬ର ବଜେଟ୍ ପ୍ରସ୍ତୁତ ହୋଇଛି । ଗୋଟିଏ ଶିଶୁର ଜନ୍ମ ହେବା ପର ଠାରୁ ଆରମ୍ଭ କରି ଯୁବାବସ୍ଥାରେ ଉଚ୍ଚତର ଗବେଷଣା କରିବା ଏବଂ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।ବଜେଟରୁ ଡବଲ ଇଞ୍ଜିନ ସରକାରର ସହଯୋଗରେ ଓଡ଼ିଶା ଭଳି ଅପାର ସମ୍ଭାବନାର ରାଜ୍ୟର ଅଭିବୃଦ୍ଧି ହେବ । ଗରିବ, ଚାଷୀ, ମହିଳା, ଯୁବକ, ବଞ୍ଚିତ, ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ବଜେଟ୍ ସଶକ୍ତ କରିବ । ଗାଁରେ ବସବାସ କରୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶିଳ୍ପ, ଶକ୍ତି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆହୁରି ଅଧିକ ଅଧିକ ଗତି ମିଳିବ । ଓଡ଼ିଶାରେ ରୋଜଗାର ବଢିବ । ନିକଟରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଭିଜନ ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ଏହି ବଜେଟ୍ ବେଶ୍ ସହାୟକ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ ଲକ୍ଷରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଭାରତନେଟ୍ ପ୍ରକଳ୍ପ ଅଧୀନରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ନଥିବା ସମସ୍ତ ୩,୬୫୯ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଏହି ସବୁ ବ୍ୟବସ୍ଥାରୁ ଓଡ଼ିଶା ସିଂହ ଭାଗ ଲାଭ ପାଇବ । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହା ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ । ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ । ଜ୍ଞାନ-ଭାରତମ ମିଶନ ପଦକ୍ଷେପ ଅନ୍ତର୍ଗତ ଓଡ଼ିଶାର ପୁରାତନ ପୋଥି (ପାଣ୍ଡୁଲିପି) ଗୁଡିକର ସଂରକ୍ଷଣ ହେବ । ଏହା ଦ୍ୱାରା ଆମ ରାଜ୍ୟର ସମୃଦ୍ଧ ସଂସ୍କୃତି, ସାହିତ୍ୟ ଏବଂ ଇତିହାସ ଭବିଷ୍ୟତ ପିଢି ପାଇଁ ସଂରକ୍ଷିତ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜେଟରେ ପିଏମ ଧନ ଧାନ୍ୟ କୃଷି ଯୋଜନା ତଥା ଏକ ବିକଶିତ କୃଷି-ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ୧୦୦ଟି ଜିଲ୍ଲାକୁ ସାମିଲ କରାଯିବା ପାଇଁ ପ୍ରାବଧାନ ହୋଇଛି । ଏହା ଦ୍ୱାରା ଓଡ଼ିଶା ଭଳି କୃଷିଭିତ୍ତିକ ରାଜ୍ୟ ବିଶେଷ ଭାବେ ଲାଭବାନ ହେବ । କପା ଉତ୍ପାଦକତା ମିଶନରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଭଳି ଜିଲ୍ଲାରେ କପା ଉତ୍ପାଦନ ପ୍ରତି ପ୍ରୋତ୍ସାହନ ବଢିବ । ଓଡ଼ିଶାରେ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଓଡ଼ିଶାରେ ଥିବା ୪୦ ଲକ୍ଷ କିଷାନ କ୍ରେଡିଟ୍ କାର୍ଡଧାରୀ ଉପକୃତ ହେବେ । କମ୍ପ୍ରେସିଭ୍ ମଲ୍ଟିସ୍ପେକ୍ଟରାଲ ରୁରାଲ ପ୍ରପର୍ଟି ଆଣ୍ଡ୍ ଭିଜିଲାନ୍ସ ପ୍ରୋଗ୍ରାମ ଦ୍ୱାରା ସବୁ ବର୍ଗର ଚାଷୀମାନେ ଦକ୍ଷ ହେବା ସହ ଲାଭାନ୍ୱିତ ହେବ । ନ୍ୟାସନାଲ ମିଶନ ଫର୍ ଏଡିବଲ୍ ଅଏଲ ସିଡ ଏବଂ ଡାଲି ଜାତୀୟ ଫସଲର ଅଧିକ ଉତ୍ପାଦନ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଓଡ଼ିଶାକୁ ଲାଭ ମିଳିବ । ରାଜ୍ୟ ସରକାରଙ୍କ ସହିତ ସହଭାଗୀତାରେ ପନିପରିବା ଏବଂ ଫଳଚାଷ ପାଇଁ ଏକ କମ୍ପ୍ରହେମସିଭ୍ ପ୍ରୋଗ୍ରାମ ଫର୍ ଭେଜିଟେବୁଲ ଆଣ୍ଡ୍ ଫ୍ରୁଟ୍ସ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯେଉଁଥିରେ ଉତ୍ପାଦିତ ପନିପରିବା ଓ ଫଳଚାଷରେ କିପରି ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳପାରିବ, ତା’ର ବ୍ୟବସ୍ଥା ହେବ । ଅଧିକ ଅମଳକାରୀ ବିହନ ଉପରେ ଜାତୀୟ ମିଶନ ଆରମ୍ଭ ହେବ । ଅଧିକ ଅମଳକାରୀ ବିହନର ଗବେଷଣା ହେବା ସହ କିପରି ଚାଷରେ ଅଧିକ ସାର ଓ ରସାୟନ ପଦାର୍ଥ କମ ବ୍ୟବହାର ହେବ ଏବଂ ଜଳବାୟୁ ଉପଯୋଗୀ ଉତ୍ପାଦ ଉତ୍ପାଦନ ହେବ, ସେଥିପାଇଁ ଏହି ମିଶନ କାର୍ଯ୍ୟ କରିବ । ଓଡ଼ିଶା ଏକ କୃଷି ଆଧାରିତ ଅର୍ଥନୀତି ରାଜ୍ୟ ହୋଇଥିବାରୁ ବଜେଟ ଦ୍ୱାରା ଅଧିକ ଲାଭ ପାଇବ ।

ମେରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ ଆକାରରେ ୨୫,୦୦୦ କୋଟି ଟଙ୍କାର ଏକ କର୍ପସ ଗଠନ ଦ୍ୱାରା ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରରେ ବନ୍ଦରର ବିକାଶ, ନୂତନ ବନ୍ଦର ପ୍ରତିଷ୍ଠା ସହ ସାମୁଦ୍ରିକ ବାଣିଜ୍ୟ ତ୍ୱରାନ୍ୱିତ ହୋଇପାରିବ । ସିପ୍ ବିଲଡିଂ ଫାଇନାନ୍ସଆଲ ଆସିଷ୍ଟାନ୍ସ ପଲିସି ୨.୦ ଦ୍ୱାରା ଜାହାଜ ନିର୍ମାଣ କ୍ଲଷ୍ଟର ଥିବା ଓଡ଼ିଶା ଭଳି ରାଜ୍ୟ ଲାଭ ପାଇବ । ସଂଶୋଧିତ ଉଡାନ ଯୋଜନାରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳକୁ ସଂଯୋଗ କରାଯିବ । ଏହା ଅଧୀନରେ ସମ୍ବଲପୁର ଜମାଦରପାଲି, ଢେଙ୍କାନାଳର ବିରସାଲ, ମୟୂରଭଞ୍ଜର ରାସଗୋବିନ୍ଦପୁର, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ କେନ୍ଦୁଝରର ରାଇକଳାରେ ବିମାନବନ୍ଦରର ବିକାଶ କରିପାରିବ, ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ହୋଇପାରିବ । ଉଦୀୟମାନ ଟାୟାର-୨ ସହରଗୁଡିକରେ ଗ୍ଲୋବାଲ କାପାବିଲିଟି ସେଣ୍ଟରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ଭାବରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯିବ – ଏହା ଦ୍ୱାରା ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଭଳି ସହରରେ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ସ୍ଥାପନ କରିବାରେ ସକ୍ଷମ ହେବ । ୧ ଲକ୍ଷ କୋଟିର ଅର୍ବାନ୍ ଚ୍ୟାଲେଞ୍ଜ୍ ଫଣ୍ଡ ଦ୍ୱାରା ଓଡ଼ିଶାର ବିଭିନ୍ନ ସହର ବିକାଶ ହୋଇପାରିବ । ସେହି ସହରରେ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯିବ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)କୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟିକୁ ୫ କୋଟିକୁ ବଢାଇ ୧୦ କୋଟି ଟଙ୍କା କରାଯାଇଛି । ଷ୍ଟାର୍ଟଅପ ଗୁଡିକ ପାଇଁ ଋଣ ଗ୍ୟାରେଣ୍ଟିକୁ ୧୦ କୋଟିରୁ ବଢାଇ ୨୦ କୋଟି ଟଙ୍କା କରାଯାଇଛି । ଷ୍ଟାର୍ଟଅପ ପାଇଁ ଫଣ୍ଡସ୍ ଅଫ୍ ଫଣ୍ଡସ ବ୍ୟବସ୍ଥାରେ ୧୦ ହଜାର କୋଟିରୁ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥିବା ୫ ଲକ୍ଷ ମହିଳା, ଏସସି, ଏସଟି ଓ ଏସଟି ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଘୋଷଣା କରାଯାଇଛି । ଖେଳନା କ୍ଷେତ୍ର ପାଇଁ ହୋଇଥିବା ଯୋଜନା ଓଡ଼ିଶାରେ କ୍ଲଷ୍ଟର ବିକାଶକୁ ସୁନିଶ୍ଚିତ କରିବ । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ତଥା କ୍ରିଟିକାଲ ମିନେରାଲ୍ସର ପୁନରୁଦ୍ଧାର ପାଇଁ ଏକ ନୀତି ଅଣାଯିବ । ଓଡ଼ିଶାରେ ବହୁ ସଂଖ୍ୟକ ଲୁହାପଥର ଓ ବକ୍ସାଇଟ୍ ଖଣି ରହିଛି, ଯେଉଁଥିରୁ ବିପୁଳ ପରିମାଣର ଖଣି ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ। ନୂତନ ନୀତି ପ୍ରଣୟନ ହେଲେ ଏହି ବର୍ଜ୍ୟବସ୍ତୁରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୁନରୁଦ୍ଧାର ହେବ ।

ଦେଶର ଶ୍ରେଷ୍ଠ ୫୦ ପର୍ଯ୍ୟଟନସ୍ଥଳୀର ବିକଶିତ ହେବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଥିବା ବେଳେ ବଜେଟରେ ହୋଇଥିବା ବ୍ୟବସ୍ଥା ଦ୍ୱାରା ରାଜ୍ୟର ୨ରୁ ୪ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ । ହୋମ ଷ୍ଟ୍ରେଙ୍କ ପାଇଁ ମୁଦ୍ରା ଋଣ ପ୍ରଦାନ ବ୍ୟତୀତ କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣା ଦ୍ୱାରା ଓଡ଼ିଶାର ମଧ୍ୟବିତ ପରିବାରର ଆୟ ବଢିବା ସହ ସେମାନଙ୍କ ଅର୍ଥ ସଞ୍ଚୟ ହେବ । ଏହା ଦ୍ୱାରା ମଧ୍ୟବିତ୍ତ ବର୍ଗଙ୍କ ସବୁ ଚାହିଦା ପୂରଣ ହେବ ଏବଂ ସର୍କୁଲାର ଅର୍ଥନୀତିକୁ ବଳ ମିଳିବ । କେନ୍ଦ୍ର ବଜେଟ ୨୦୨୫-୨୬ରେ ହୋଇଥିବା ଆନୁଷଙ୍ଗିକ ଯୋଜନା ଓ ବ୍ୟବସ୍ଥା ଓଡ଼ିଶାର ନୂଆପିଢିକୁ ନୂଆ ଦିଶା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।