ଯୁକ୍ତ ଦୁଇ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
କପି ରୋକିବା ପାଇଁ ପାଞ୍ଚ ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା
ଭୁବନେଶ୍ୱର, ୦୪/୦୨: ଆସନ୍ତା ଫେବ୍ରୁଆରି ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ସିଏଚ୍ଏସ୍ଇ ଯୁକ୍ତ ଦୁଇ ପରୀକ୍ଷା। ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ଟି କେନ୍ଦ୍ରରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ। କପି ରୋକିବା ପାଇଁ ୩୫ଟି ସ୍ଥାନରେ ପାଞ୍ଚସ୍ତରୀୟ ସ୍କ୍ବାଡ୍ ମୁତୟନ ହେବେ। ଏ ନେଇ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
ପରୀକ୍ଷାର୍ଥୀମାନେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରି ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ। ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୭ରେ ଶେଷ ହେବ। ପରୀକ୍ଷା ଶେଷ ହେବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ।