ଗୋଟିଏ ଦିନରେ ଅଫଲାଇନ ଟିକେଟ ବିକ୍ରି ଶେଷ

ଫେବ୍ରୁଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ହେବ।

ହଜାର ହଜାର କ୍ରିକେଟ ପ୍ରେମୀ ନିରାଶ

କଟକ, ୦୫/୦୨: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଫେବ୍ରୁଆରି ୨ ରେ ଅନଲାଇନ୍ ଟିକେଟ୍ ବିକ୍ରି ପରେ ଆଜିଠାରୁ ଅଫଲାଇନ୍ କେଟ୍ ବିକ୍ରି ଆରମ୍ଭ ହୋଇଥିଲା। ଅଫଲାଇନ ଟିକେଟ ବିକ୍ରି ପାଇଁ ଦୁଇ ଦିନ‌ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ହିଁ ସନ୍ଧ୍ୟା ୬ଟା ସୁଦ୍ଧା ଟିକେଟ ବିକ୍ରି ଶେଷ ହୋଇଯାଇଛି। ଆସନ୍ତାକାଲି ଷ୍ଟାଡିୟମ କାଉଣ୍ଟରରେ ଟିକେଟ ବିକ୍ରି ହେବ ନାହିଁ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଫଲାଇନ୍ ପାଇଁ ଟିକେଟ ମାତ୍ର ୧୧ ହଜାର ଖଣ୍ଡ ଥିବା ବେଳେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ଵ କ୍ରିକେଟ ପ୍ରେମୀ ଟିକେଟ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କ୍ରିକେଟପ୍ରେମୀଙ୍କ ପ୍ରବଳ ଭିଡ଼ ଭିତରେ ଟିକେଟ କାଉଣ୍ଟରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗତ କାଲି ରାତିରୁ ଲୋକମାନେ ଟିକେଟ ନେବା ପାଇଁ ଅପେକ୍ଷା କରିଥିବା ବେଳେ ଆଜି ଟିକେଟ ନ ପାଇ ନିରାଶ ହୋଇଛନ୍ତି।

ସନ୍ଧ୍ୟା ୬ଟାରେ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯିବାରୁ ବିଶୃଙ୍ଖଳା ଆହୁରି ବଢ଼ିଯାଇଥିଲା। ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ୍ ଭାଙ୍ଗିବାର ଦେଖିବାକୁ ମିଳିଥିଲା। ଯାହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଆଜି ସକାଳେ ପ୍ରବଳ ଭିଡ଼ ମଧ୍ୟରେ ଧାଡ଼ିରେ ଥିବା କିଛି ଲୋକ ଚେତା ହରାଇ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ।

ଅନ୍ୟପକ୍ଷରେ ପୁଲିସ କମିଶନର ଏସ୍ ଦେବ ଦତ୍ତ ସିଂହ ସୂଚନା ଦେଇଛନ୍ତି ଯେ ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଦଳ ଫେବ୍ରୁଆରି ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। କ୍ରିକେଟରଙ୍କ ରହିବାକୁ ଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ମ୍ୟାଚ ଦିନ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।