ତାମିଲନାଡୁ, ୦୫/୦୨: ତାମିଲନାଡୁର ବିରୁଧୁନଗରର କୋଭିଲପୁଲିକୁଠିରେ ଥିବା ଏକ ବାଣ କାରଖାନାରେ ଘଟିଛି ଭୟଙ୍କର ବିସ୍ଫୋରଣ। କାରଖାନାର ରାସାୟନିକ ମିଶ୍ରଣ ୟୁନିଟରେ ବିସ୍ଫୋରଣ ଘଟି ଅନେକ ଉତ୍ପାଦନ ନଷ୍ଟ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ରାମଲକ୍ଷ୍ମୀ ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୬ ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ବିରୁଧନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସତ୍ୟପ୍ରଭା ବାଣ ନିର୍ମାତା ସଂସ୍ଥାରେ ଏହି ଦୁର୍ଘଟଣା ଘଟିଛି।ଏଠାରେ ଶତାଧିକ ଶ୍ରମିକ କାର୍ଯ୍ୟ କରନ୍ତି। ବାଣ ପ୍ରସ୍ତୁତି ସମୟରେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏହି ବାଣ ବିସ୍ଫୋରଣର ଝଟକା ପ୍ରାୟ ୧ କିଲୋମିଟର ଦୂରରେ ଅନୁଭୂତ ହୋଇଥିବାର ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।