ଦିଲ୍ଲୀରେ ବିଜେପିର ବିଜୟ ହାସଲ ପାଇଁ ବୈଜୟନ୍ତଙ୍କୁ ଶ୍ରେୟ

ବୈଜୟନ୍ତ ଧନ୍ୟବାଦର ପାତ୍ର: ମନମୋହନ

ନୂଆଦିଲ୍ଲୀ, ୦୮/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ବିଜୟର ସବୁ ଶ୍ରେୟ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଶଂସାରେ ଶତମୁଖ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ମନମୋହନ ସାମଲ କହିଛନ୍ତି, ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ବ ତାଙ୍କୁ ପ୍ରଦାନ କରାଯାଇଥିଲା। ଦଳ ଭିତରେ ଏକତା ସୃଷ୍ଟି କରି ନିର୍ବାଚନ ପରିଚାଳନାକୁ ବେଶ୍‌ ସୁଚାରୁ ରୂପେ କରି ପାରିଛନ୍ତି। ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି। ମୋଦିଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି। ସେ ଧନ୍ୟବାଦର ପାତ୍ର।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା। ବୈଜୟନ୍ତ ପଣ୍ଡାଙ୍କ ଉପରେ ଭରସା କରି ତାଙ୍କୁ ଏହି ନିଯୁକ୍ତି ଦେଇଥିଲେ ଶୀର୍ଷ ନେତୃତ୍ୱ। ଶୀର୍ଷ ନେତୃତ୍ୱଙ୍କ ଭରସା ଜିତି ପାରି ଶ୍ରେଷ୍ଠ ରଣନୀତିକାର ଭାବେ ସାବ୍ୟସ୍ତ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନିର୍ବାଚନ ଜିତି ପାରି ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବ ବିଜେପି। ତେଣୁ ବିଜେପିର ଶୀର୍ଷ ନେତୃତ୍ବଙ୍କ ଏହି ନିଷ୍ପତ୍ତି ଠିକ୍ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ବୈଜୟନ୍ତ।