୩୧ ମାଓବାଦୀ ନିପାତ, ୨ ଯବାନ ସହିଦ

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼, ୦୯/୦୨: ଛତିଶଗଡ଼ର ବିଜାପୁର-ନାରାୟଣପୁର ସୀମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ଧରଣର ସଫଳତା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩୧ ମାଓବାଦୀ ନିହତ ହୋଇଛନ୍ତି। ରବିବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ବାମପନ୍ଥୀ ବିରୋଧରେ ଏକ ବଡ଼ ଅପରେସନ କରି ସୁରକ୍ଷାବାହିନୀ ୩୧ ଜଣ ନକ୍ସଲଙ୍କୁ ନିପାତ କରିଛି। ଏହି ସଂଘର୍ଷରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ହେଲିକପ୍ଟର ଯୋଗେ ପଠାଯାଇଛି।

ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳର ଏକ ଜଙ୍ଗଲରେ ଡିଆଇଜି, ଏସଟିଏଫ ଏବଂ ବସ୍ତର ଫାଇଟର ଯବାନଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା।ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।‌ ଏହି ଗୁଳିବିନିମୟରେ ରାଜ୍ୟ ପୁଲିସର ଜିଲ୍ଲା ରିଜର୍ଭ ଗାର୍ଡର ଜଣେ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ଅନ୍ୟ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଆହତ ଯବାନଙ୍କ ଅବସ୍ଥା ବିପଦମୁକ୍ତ ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଉନ୍ନତ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।