ରାଷ୍ଟ୍ରପତି ଭବନରେ ଶାହାନାଇର ଗୁଞ୍ଜରଣ

ବିବାହ ପାଇଁ ଭବ୍ୟ ଆୟୋଜନ

ଜାଣନ୍ତୁ କାହାକୁ ମିଳିଲା ଏ ସୌଭାଗ୍ୟ

ନୂଆଦିଲ୍ଲୀ, ୧୨/୦୨: ରାଷ୍ଟ୍ରପତି ଭବନ! ଯେଉଁଠି ରାଷ୍ଟ୍ରପତିଙ୍କ ମୁଖ୍ୟାଳୟ। ବିଦେଶରୁ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ସମାଗମ ହୁଏ। ରାଷ୍ଟ୍ରପତିଙ୍କ ବାସଭବନ ରାଷ୍ଟ୍ରପତି ଭବନ। ଇତିହାସରେ ପ୍ରଥମ ଏଠାରେ ବହୁ ଆଡମ୍ବର ସହକାରେ ବିବାହ ଭଳି ଏକ ସାମାଜିକ ଅନୁଷ୍ଠାନର ଆୟୋଜନ ହୋଇଛି।

ଫେବ୍ରୁଆରି ୧୨ ଅର୍ଥା‌‌ତ ଆଜି ପ୍ରଥମ ଥର ପାଇଁ ଏହି ଆଇକନିକ୍ ଇଷ୍ଟେଟ୍ ରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଦୁଇ ଜଣ ଅଧିକାରୀଙ୍କ ମଧ୍ୟରେ ଏହି ବିବାହ ଅନୁଷ୍ଠିତ ହେବ।‌ ଏହି ଭବ୍ୟ ଢାଞ୍ଚା ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିବ। ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏହି ବିବାହ ଅନୁଷ୍ଠିତ ହେବ। ଯେଉଁଥିରେ କେବଳ ପରିବାରର ନିକଟତମ ସଦସ୍ୟ ଉପସ୍ଥିତ ରହିବେ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

୭୪ତମ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ସିଆରପିଏଫର ସମସ୍ତ ମହିଳା ଦଳର ନେତୃତ୍ୱ ନେଇଥିବା ସିଆରପିଏଫ ଅଧିକାରୀ ପୁନମ ଗୁପ୍ତା ସାଥୀ ସିଆରପିଏଫ ଅଧିକାରୀ ଅବନୀଶ କୁମାରଙ୍କୁ ବିବାହ କରିବେ। ପୁନମ ଗୁପ୍ତା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେ ମଧ୍ୟପ୍ରଦେଶର ବାସିନ୍ଦା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁନମ ଗୁପ୍ତାଙ୍କ କର୍ତ୍ତବ୍ୟରେ ସନ୍ତୁଷ୍ଟ ହୋଇ ରାଷ୍ଟ୍ରପତି ଭବନରେ ବିବାହ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ।

ଦୀର୍ଘ ୭୦ ବର୍ଷ ଧରି ରାଷ୍ଟ୍ରପତି ଭବନ ଭାରତର ଗଣତନ୍ତ୍ର, ଶାସନ ଓ ସମୃଦ୍ଧ ଐତିହ୍ୟର ପ୍ରତୀକ ଭାବେ ଠିଆ ହୋଇଛି। ତେବେ ଏହା ପୂର୍ବରୁ କେବେ ବି ଏଠାରେ ବିବାହ ଉତ୍ସବ ହୋଇନଥିଲା। ୨,୦୦,୦୦୦ ବର୍ଗଫୁଟ (ପାଖାପାଖି ୧୮,୫୮୦ ବର୍ଗ ମିଟର) ପରିମିତ ଅଞ୍ଚଳରେ ଗଢି ଉଠିଥିବା ରାଷ୍ଟ୍ରପତି ଭବନ ୪ ମହଲା ବିଶିଷ୍ଟ ଏକ ମହଲ ଏବଂ ଏଥିରେ ବିଭିନ୍ନ ଆକାରର ପ୍ରାୟ ୩୪୦ଟି କୋଠରୀ ରହିଛି।