ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଆତଙ୍କବାଦୀ ଆକ୍ରମଣ ଧମକ

ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ, ୧୨/୦୨: ୫ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ଆଜି ଆମେରିକା ଗସ୍ତରେ ଯିବେ। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ଫେରିବା ପରେ ତାଙ୍କୁ ପ୍ରଥମ ଥର ଭେଟିବେ ମୋଦି।

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ମିଳିଛି ଧମକ। ଏ ନେଇ ମୁମ୍ବାଇ ପୁଲିସକୁ ଏକ ଫୋନ୍ ଆସିଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମିଳିଥିବା ଏହି ଧମକପୂର୍ଣ୍ଣ ଫୋନରେ ଦାବି କରାଯାଇଥିଲା ଯେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି।

ଏହି ଧମକକୁ ଦୃଷ୍ଟିରେ ରଖି ପୁଲିସ ତୁରନ୍ତ ସଂପୃକ୍ତ ସୁରକ୍ଷା ଏଜେନ୍ସିକୁ ଜଣାଇବା ସହ ସେ ଯିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଏହି ଧମକପୂର୍ଣ୍ଣ କଲ୍ ପଛରେ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ଏବଂ ସନ୍ଦିଗ୍ଧ ଜଣକ ମାନସିକ ବିକାର ଗ୍ରସ୍ତ ଥିବା ଜଣା ପଡିଛି ବୋଲି ମୁମ୍ବାଇ ପୁଲିସ କହିଛି।

ସୂଚନାଯୋଗ୍ୟ, ଫ୍ରାନ୍ସରେ ପହଞ୍ଚିବା ପରେ ମୋଦୀଙ୍କୁ ପ୍ରବାସୀ ଭାରତୀୟମାନେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସାକ୍ଷାତ କରିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆକ୍ସନ ଶିଖର ସମ୍ମିଳନୀ ଏବଂ ପ୍ୟାରିସରେ ୧୪ତମ ଭାରତ-ଫ୍ରାନ୍ସ ସିଇଓ ଫୋରମର ସହ ଅଧ୍ୟକ୍ଷତା କରିଥିଲେ।