ମାନବ ଚାଲାଣ ସ୍ଥିତିର ସାଂଘାତିକ ରୂପ
ମିଳୁନି ମହିଳା ଓ ଶିଶୁଙ୍କ ଟେର୍
୪ ବର୍ଷରେ ୩୬,୪୨୦ ମହିଳା ଓ ୮,୪୦୩ ଶିଶୁ ଗାଏବ: ଗୃହରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭/୦୨: ରାଜ୍ୟରେ ମାନବ ଚାଲାଣ ସ୍ଥିତି ସାଂଘାତିକ ରୂପ ନେଉଛି। ମାନବ ଚାଲାଣରେ ବଳି ପଡୁଛନ୍ତି ନୀରିହ ମହିଳା ଓ ଶିଶୁ। ମାନବ ଚାଲାଣ ଓ ମହିଳା ନିଖୋଜ ଉପରେ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ମୋଟ ୩୬,୪୨୦ ଜଣ ମହିଳା ଓ ୮,୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି।
ବେଆଇନ ଦଲାଲଙ୍କ ହାବୁଡ଼ରେ ପଡ଼ି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ନିକଟରୁ ମହିଳା ଓ ବାଳିକା ମିଶି ୪୨୧ ଜଣ ମାନବ ଚାଲାଣର ଶିକାର ହେବା ପରେ ସେମାନଙ୍କ କବଳରୁ ମୁକୁଳିଛନ୍ତି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ୪୫୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ସେହିପରି ଚୋରା ଚାଲାଣରେ ଦଲାଲଙ୍କ କବଳରୁ ମୁକୁଳାଇବା ପାଇଁ ଚାଲୁଥିବା ପ୍ରୟାସରେ ୧୪୧୭ ଜଣ ମହିଳା ଓ ୧୮୫୭ ଜଣ ଶିଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅନ୍ୟପଟେ ଶିଶୁ ଶ୍ରମିକ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗତ ଚାରି ବର୍ଷ ମଧ୍ୟରେ ୭୪୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ମାନବ ଚାଲାଣ ସ୍ଥିତି ଉଗ୍ରରୂପ ନେଉଥିବା ବେଳେ ଏଭଳି ସ୍ଥିତିକୁ ରୋକିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଅନେକ ଗଠନମୂଳକ ପଦକ୍ଷେପ ନେବା ଜରୁରୀ।