ଭୁବନେଶ୍ୱର, ୧୭/୦୨: ରାଜ୍ୟରେ ବଢୁଛି ଅପରାଧିକ କାର୍ଯ୍ୟକଳାପ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ପୂର୍ବବର୍ଷ ଅପେକ୍ଷା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭୁବନେଶ୍ୱରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି? ତାରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୨୩ ମସିହାରେ ରାଜ୍ୟରେ ୧,୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୪ରେ ଏହାର ବୃଦ୍ଧି ଘଟି ୨,୧୪,୧୧୩ଟି ମାମଲା ପଞ୍ଜୀକୃତ ହୋଇଛି।
୨୦୨୩ରେ ୧୬,୮୫୧ଟି ଚୋରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୪ରେ ୧୭,୮୦୫ ଟି ମାମଲା ପଞ୍ଜୀକୃତ ହୋଇଛି। ସେହିପରି ୨୦୨୩ରେ ୧୧,୯୯୨ ଟି ଦୁର୍ଘଟଣା ଜନିତ ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୧୨,୩୭୫ଟି ମାମଲା ରୁଜୁ ହୋଇଛି। ଦୁଷ୍କର୍ମ ମାମଲାରେ ୨୦୨୩ରେ ୨,୮୨୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୩,୦୫୪ଟି ମାମଲା ରୁଜୁ ହୋଇଛି।