ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣୀ

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ସୁନ୍ଦରଗଡ, ୧୭/୦୨: ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗର କନିଷ୍ଠ କିରାଣୀ ଗୋଲେଖ ନାୟକ। ଜମି ଡିମାରକେସନ ପାଇଁ ମଶାବିରାର ଅନନ୍ତ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡ଼ିଛନ୍ତି।

ସୂଚନାନୁସାରେ, ଅନନ୍ତ ପ୍ରଧାନ ତାଙ୍କ ଜମିର‌ ଡିମାରକେସନ କରିବା ପାଇଁ ଗତ ୬ ତାରିଖରେ ଆବେଦନ କରିଥିଲେ। ହେଲେ ଏ ସଂକ୍ରାନ୍ତରେ ଫାଇଲ ପ୍ରସ୍ତୁତ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ଗୋଲେଖ ନାୟକ। ତେଣୁ ଅନ୍ୟୋପାୟ ନ ପାଇ ଅନନ୍ତ ପ୍ରଧାନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଗୋଲେଖଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍। ଆଜି ଗୋଲେଖ ନିଜେ ଲାଞ୍ଚ ନେବା ସହ ଅନ୍ୟ ଜଣେ ସହଯୋଗୀ ଅରୁଣ ସେଠ୍ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଟଙ୍କା ଦେଉଥିଲେ। ଏହି ସମୟରେ ଧରିଛି ଭିଜିଲାନ୍ସ। ଗୋଲେଖ ଓ ଅରୁଣ ସେଠଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇ ତଦନ୍ତ ପରିସରଭୁକ୍ତକୁ ଅଣାଯାଇଛି।