କିଟର ମୃତ ଛାତ୍ରୀଙ୍କୁ ମିଳିବ ନ୍ୟାୟ: ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ନେପାଳର ସରକାରୀ ଅଧିକାରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆଲୋଚନା

ଭୁବନେଶ୍ୱର, ୧୯/୦୨: ଗତ ୧୬ ତାରିଖରେ ଭୁବନେଶ୍ୱର ସ୍ଥିତ କିଟ୍ ୟୁନିଭର୍ସିଟିରେ ପ୍ରକୃତି ଲମସାଲଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର କାଉନସେଲର ସଞ୍ଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ମୃତ ଛାତ୍ରୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

କିଟ୍ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରି ଆସିବା ପାଇଁ ଅପିଲ କରିଛନ୍ତି।

କିଟ୍ ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନେପାଳର ଅଧିକାରୀମାନଙ୍କ ସହ ରାଜ୍ୟ ଅତିଥି ଭବନରେ ଆଲୋଚନା କରିଥିଲେ। ନେପାଳର ବୈଦେଶିକ ମନ୍ତ୍ରୀ ଡ. ଅର୍ଜୁ ରାଣା ଦେଉବାଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିଡ଼ିଓ କଲ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, “ବସୁଧୈବ କୁଟୁମ୍ବକମ‘ ବିଚାରରେ ବିଶ୍ବାସ ରଖେ ଏହା ଓଡ଼ିଶା ମାଟି। ମୃତ ଛାତ୍ରୀଜଣଙ୍କ କେବଳ ନେପାଳର ଝିଅ ନୁହେଁ, ସେ ଓଡ଼ିଶା ମାଟିର ମଧ୍ଯ ଝିଅ। ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ସହିତ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଆମ ସରକାର ତତ୍ପର ଅଛନ୍ତି। ନେପାଳ-ଭାରତ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ ବୋଲି ଆମେ ବିଶ୍ବାସ ଦେଉଛୁ। ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ପାଇଁ ଏବଂ ବୈଦେଶିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ତ୍ବରିତ ପଦକ୍ଷେପରେ ନେପାଳର ବୈଦେଶିକ ମନ୍ତ୍ରୀ ତଥା ସରକାର ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତ କାଲି ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଏଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ରହିଛନ୍ତି।