ଆକାଶରେ ଦୃଶ୍ୟମାନ ହେବ ୭ ଗ୍ରହ

ଜାଣନ୍ତୁ କେବେ ଓ କେଉଁଠି ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ, ୨୦/୦୨: ମହାକୁମ୍ଭ ଶେଷ ହେବାକୁ ଯାଉଥିବା ବେଳେ ମହାକୁମ୍ଭର ଶେଷ ଭାଗରେ ଭାରତୀୟ ଆକାଶରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ସୌରମଣ୍ଡଳର ସାତଟି ଗ୍ରହ; ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ୍ ରାତିରେ ଭାରତ ଆକାଶରେ ଦୃଶ୍ୟମାନ ହେବ।

୨୦୨୫ ଜାନୁଆରୀରେ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ୍ ଦୃଶ୍ୟମାନ ହୋଇଥିବା ବେଳେ ଏହି ପ୍ଲାନେଟ ପ୍ୟାରେଡ଼ ବା ଗ୍ରହ ସମାବେଶରେ ସାମିଲ ହେବ ବୁଧ ଗ୍ରହ। ଫେବ୍ରୁଆରି ୨୮ତାରିଖରେ ସମସ୍ତ ଗ୍ରହ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ଏକ ସରଳରେଖାରେ ଏକାଠି ହେବା ପରେ ହିଁ ଏହି ଦୃଶ୍ୟ ଦେଖିହେବ। ରାତିରେ ଏଭଳି ଗ୍ରହ ମାନଙ୍କର ମିଳନ ଦେଖା ଯିବାକୁ ‘ଗ୍ରହ ସଂଯୋଗ’ ବୋଲି କୁହାଯାଇଥାଏ।

ତେବେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଗୁଡ଼ିକ ଖାଲି ଆଖିରେ ଦେଖାଯିବ। ହେଲେ ୟୁରାନସ ଓ ନେପଚୁନକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ। ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଏହି ମହାଜାଗତିକ ଦୃଶ୍ୟ ଦେଖି ହେବ।

କୁମ୍ଭମେଳା ସମୟରେ ଏହି ମହାକାଶୀୟ ସମନ୍ବୟ ଏହାର ମହତ୍ତ୍ୱ ଆହୁରି ବଢ଼ାଇ ଦେଇଥାଏ। ଏଭଳି ମହାଜାଗତିକ ଘଟଣା ଆଧ୍ୟାତ୍ମିକ ଶକ୍ତିକୁ ବଢ଼ାଇଥାଏ ବୋଲି ବିଶ୍ୱାସ ରହିଛି।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ୨୦୨୫ ଅଗଷ୍ଟ ମଧ୍ୟ ଭାଗରେ ୬ଟି ଗ୍ରହ ଦୃଶ୍ୟମାନ ହେବ। ଏହି ମହାଜାଗତିକ ଦୃଶ୍ୟ ବିରଳ। ସାଧାରଣତଃ ଗୋଟିଏ ସରଳରେଖାରେ ଥିବା ବେଳେ ଦୁଇରୁ ତିନୋଟି ଗ୍ରହମାନଙ୍କୁ ଦେଖିବା ଏକ ସାଧାରଣ କଥା। କିନ୍ତୁ ଏକା ସାଙ୍ଗରେ ସାତୋଟି ଗ୍ରହଙ୍କୁ ଦେଖିବା ଏକ ବିରଳ ମହାଜାଗତିକ ଦୃଶ୍ୟ।