ଆସନ୍ତାକାଲିଠୁ ସୁଭଦ୍ରା ଶକ୍ତି ମେଳା
ପ୍ରଥମ ଥର ପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଲୋକଲୋଚନକୁ ଆସିବେ ୭୦୦ ମହିଳା ଉଦ୍ୟୋଗୀ
ଭୁବନେଶ୍ୱର, ୨୧/୦୨: ଆସନ୍ତାକାଲିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟନ ହେବ ଏହି ସୁଭଦ୍ରା ଶକ୍ତି ମେଳା। ଏହି ମେଳାରେ ରାଜ୍ୟର ୩୦ ଜିଲ୍ଲାରୁ ୭୦୦ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିବେ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଭୁବନେଶ୍ୱର ସମେତ ପୁରୀ, ମାଲକାନଗିରି, ସମ୍ବଲପୁର ଓ ବଲାଙ୍ଗୀରରେ ଏକାସାଙ୍ଗରେ ଏହି ମେଳା ଆୟୋଜନ କରାଯିବ। ଏହି ମେଳାରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ୩୦୦ରୁ ଅଧିକ ଷ୍ଟଲ ଖୋଲିବ। ଦୀର୍ଘମିଆଦୀ ବଜାର ଦେବା ଓ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମେଳା ଆୟୋଜିତ ହେବ। ଏହି ମେଳାରୁ ସାରା ବିଶ୍ବକୁ ଓଡିଶାର ମହିଳା ସଶକ୍ତିକରଣର ଏକ ଝଲକ ଦେଖାଇବା ପାଇଁ ପ୍ରୟାସ କରିବେ ରାଜ୍ୟ ସରକାର। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରଥମ କରି ଏଭଳି ମେଳା ଆୟୋଜନ ହେବ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୯ ଦିନିଆ ପ୍ରଦର୍ଶନୀରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ରୁ ଅଧିକ ପ୍ରକାର ହସ୍ତଶିଳ୍ପ, କଳାକୃତି, ମିଲେଟ, ଜୈବିକ ଉତ୍ପାଦ, ଖାଦ୍ୟ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଇତ୍ୟାଦି ପ୍ରଦର୍ଶିତ ହେବ।
ଅତିଥି ଓ ପରିଦର୍ଶକମାନେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ବିଭିନ୍ନ କଳା, କାରିଗରୀ, କୌଶଳ ଯେପରିକି ଲାଖ ଉତ୍ପନ୍ନ, କାଠର କଳାକୃତି, ଗୋଲ୍ଡେନ ବ୍ରାସ ଉତ୍ପାଦ, ଶବାଇ ଉତ୍ପାଦ, ମାଟି ପାତ୍ର ପ୍ରସ୍ତୁତି ପ୍ରଣାଳୀ ସିଧାସଳଖ ଦେଖିପାରିବେ। ଏହି ପ୍ରଦର୍ଶନୀରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଓଡ଼ିଆ ଅସ୍ମିତାର ସ୍ୱାଭିମାନ ଓଡ଼ିଶୀ ନୃତ୍ୟ, ଲୋକକଳା, ପାରମ୍ପାରିକ ନୃତ୍ୟକଳା, ଲୋକନୃତ୍ୟ ଛଉ, ଗୋଟିପୁଅ, ନୃତ୍ୟକଳା ଦାସକାଠିଆ, ମାହାରୀ ନୃତ୍ୟ, ରଣପା ଓ ସମ୍ବଲପୁରୀ ନୃତ୍ୟ ଏବଂ ବ୍ୟଙ୍ଗ କବିତାର ଅତିଥିମାନେ ଉପଭୋଗ କରି ପାରିବେ।
ବଡ଼ ସ୍ତରରେ ନିଜର ଉତ୍ପାଦ ପ୍ରଦର୍ଶନ କରି ଏସଏଚଜି ଗୋଷ୍ଠୀ ମାନେ ଲୋକଲୋଚନକୁ ଆସିବା ସହିତ ଦୀର୍ଘମିଆଦୀ ବଜାର ସଂଯୋଗ ସୃଷ୍ଟି କରିବାରେ ଏହି ମେଳା ଗୁରୁତ୍ଵ ବହନ କରିବ। ଆୟ ବୃଦ୍ଧି କରିବା ସହିତ ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ୱାଧୀନତା ଓ ମହିଳା ସଶକ୍ତିକରଣ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବା ସ୍ୱପ୍ନ ସାକାର କରିବାରେ ଏହି ମେଳା ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।