ମାର୍ଚ୍ଚ ୮ରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବିନା ଆର୍ଥିକ ଖର୍ଚ୍ଚରେ ବିଚାରାଧୀନ ମକଦ୍ଦମାର ସମାଧାନ ପାଇବେ

ଭୁବନେଶ୍ଵର, ୨୧/୦୨: ଆସନ୍ତା ମାର୍ଚ୍ଚ ୮ତାରିଖ ଶନିବାର ଦିନ ଭୁବନେଶ୍ଵର, ଖୋର୍ଦ୍ଧା, ଜଟଣୀ, ବାଣପୁର, ଚିଲିକା, ଟାଂଗୀ, ବେଗୁନିଆ ଅଦାଲତ ପରିସରରେ ୨୦୨୫ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ୍ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧୀକରଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେଓ୍ୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍ ମକଦ୍ଦମାସ୍ତରୀୟ ମାମଲା ତଥା ବ୍ୟାଙ୍କ୍ ଋଣ ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ମକଦ୍ଦମା ଇତ୍ୟାଦିର ଆପୋଷ ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା, ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଅମଳ ଯୋଗ୍ୟ । ଦୀର୍ଘଦିନ ଧରି ସମୟ ଅପଚୟରୁ ନିସ୍ତାର ପାଁଇ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ଵର ଏବଂ ତାଲୁକ ଆଇନ ସେବା କମିଟି ଖୋର୍ଦ୍ଧା, ଜଟଣୀ, ବାଣପୁର, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ ନ୍ୟାୟାଳୟ ଟାଂଗୀ ସହିତ ଯୋଗାଯୋଗ କରିବାକୁ ସୁଚନା ଦିଆଯାଉଛି ।