ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ

ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଦେଶ ବିଦେଶକୁ ରପ୍ତାନୀ କରିବ ଓଡ଼ିଶା

ଭୁବନେଶ୍ୱର, ୨୧/୦୨: ରାଜ୍ୟରେ ହେଉ କିମ୍ବା ସାରା ଦେଶରେ ମଦ ଏକ ବିବାଦୀୟ ଜିନିଷ। ମଦ ମୃତ୍ୟୁକୁ ନେଇ ରାଜ୍ୟରେ ସାଧାରଣ ଜନତା ସରକାରଙ୍କୁ ଦାୟୀ କରୁଥିବା ବେଳେ ବିରୋଧୀ ଦଳମାନେ ଶାସକ ଦଳକୁ ସିଧାସଳଖ ଟାର୍ଗେଟ କରିଥାନ୍ତି। ଆମ ରାଜ୍ୟ ଓଡ଼ିଶାରେ ଏହି ପ୍ରସଙ୍ଗକୁ ନେଇ ଅନେକ ସମୟରେ ରାଜନୀତି ଗରମାଗରମ ଥାଏ‌। ପୂର୍ବତନ ଶାସକ ଦଳ ବିଜେଡ଼ି ରାଜ୍ୟରେ ମଦ ବନ୍ଦ ପାଇଁ କୌଣସି ପଦେକ୍ଷପ ନ ନେଇ ମଦକୁ ପ୍ରୋତ୍ସାହିତ କରୁଥିବାରୁ ତତ୍କାଳୀନ ବିରୋଧୀ ଦଳ ତଥା ବର୍ତ୍ତମାନର ଶାସକ ଦଳ ବିଜେପି ସେତେବେଳେ ବିଜେଡ଼ିକୁ ବାରମ୍ବାର ଟାର୍ଗେଟ କରୁଥିଲା। ସେହିପରି ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟ ସରକାରକୁ ଆସିଲେ ମଦ ବନ୍ଦ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ, ଏବେ ମଦକୁ ପ୍ରୋତ୍ସାହିତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ସମ୍ପୂର୍ଣ୍ଣ ମଦ ବନ୍ଦ ନ କରି ଅପମିଶ୍ରିତ ମଦ ରୋକିବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏଣିକି ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ କମ୍ପାନୀଙ୍କୁ ସବସିଡି ଯୋଗାଇବେ ରାଜ୍ୟ ସରକାର।

ନୂଆ ଅବକାରୀ ନୀତି ନେଇ ଆଜି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟେକ ହୋଲଡରଙ୍କ ଉପସ୍ଥିତିରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ ଶୀଘ୍ର ଏ ନେଇ ରାଜ୍ୟ ଶିଳ୍ପ ବିଭାଗ ସହ ଆଲୋଚନା ହେବ।

ମାଣ୍ଡିଆ, ଯଅ ଓ ବାଜରା ଭଳି ଖାଦ୍ୟଶସ୍ୟରୁ ମଦ ତିଆରି ନେଇ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି। ମହୁଲକୁ ଅଧିକ ଶୁଦ୍ଧ କରି ବିଶ୍ୱସ୍ତରୀୟ କରିବାର ଯୋଜନା ରହିଛି। ଫଳରେ ଓଡ଼ିଶାରୁ ଦେଶ ଓ ବିଦେଶକୁ ମଦ ରପ୍ତାନୀ ହେବ। ମହୁଲ ଓ ମାଣ୍ଡିଆରୁ ପ୍ରସ୍ତୁତ କରାଯିବାକୁ ଥିବା ମଦ ପାଇଁ କମ୍ପାନୀକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳିବ। ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା ପ୍ରତିଷ୍ଠା ଲକ୍ଷ୍ୟ ରହିଛି। ଅପମିଶ୍ରିତ ମଦ ବିକ୍ରି ବନ୍ଦ ହେବା ପାଇଁ ଓ ଅବକାରୀ ନୀତିରେ କ’ଣ ପରିବର୍ତ୍ତନ ହେବ ସେ ନେଇ ଆଲୋଚନା ହୋଇଛି।

ରାଜ୍ୟରେ କିଭଳି ମହୁଲ ସଂଗ୍ରହ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକମାନେ ଉପକୃତ ହେବେ ଏବଂ ମଦ କମ୍ପାନୀ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ।