ମାଲକାନଗିରି, ୨୫/୦୨: ଆବାସିକ ବିଦ୍ୟାଳୟରେ ଘଟିଛି ଏକ ଲଜ୍ଜ୍ୟା ଜନକ ଘଟଣା। ପାଠ ପଢ଼ିବାକୁ ଆସି ମାଆ ହୋଇଛନ୍ତି ଆଦିବାସୀ ଛାତ୍ରୀ। ପରୀକ୍ଷା ଦେଇ ସାରି ହଷ୍ଟେଲକୁ ଫେରିବା ପରେ ଛାତ୍ରୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଥିବା ଏକ ସରକାରୀ ଆବାସିକ ବିଦ୍ୟାଳୟରେ।
ମିଳିଥିବା ସୂଚନା ମୁତାବକ, ଗତ କାଲି ଛାତ୍ରୀ ଜଣକ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇ ହଷ୍ଟେଲକୁ ଫେରିଥିଲେ। ସେ ଫେରିବା ପରେ ହଷ୍ଟେଲ ୱାର୍ଡେନ୍ ତାଙ୍କ ବାପାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଖୁବଶୀଘ୍ର ହଷ୍ଟେଲକୁ ଆସି ପହଞ୍ଚିବା ପାଇଁ କହିଥିଲେ। ଯେତେବେଳେ ତାଙ୍କ ପିତାମାତା ହଷ୍ଟେଲରେ ପହଞ୍ଚିଥିଲେ, ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ଝିଅ ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛି। ଯାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଖବର ପାଇ ଚିତ୍ରକୋଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ତେବେ ସ୍କୁଲ ଯାଉଥିବା ସହ ହଷ୍ଟେଲରେ ଛାତ୍ରୀ ଜଣକ ଏତେ ମାସ ଧରି ରହୁଥିଲେ। କିନ୍ତୁ ଛାତ୍ରୀ ଜଣକ ଗର୍ଭବତୀ ଥିବା କେମିତି ହଷ୍ଟେଲ କର୍ତ୍ତୃପକ୍ଷ ଓ ସ୍କୁଲ କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଏହି ଘଟଣା ପାଇଁ ହଷ୍ଟେଲ ୱାର୍ଡେନଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ଏହି ମାମଲାରେ ଜିଲ୍ଲା କଲ୍ୟାଣ ଅଧିକାରୀ (ଡିଡବ୍ଲ୍ୟୁଓ) ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।