ଆଜିର ତାରିଖ ୨୫ ଫେବ୍ରୁଆରୀ ୨୦୨୫:
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରବିଶଙ୍କର ବ୍ୟାସ (୨୫ ଫେବ୍ରୁଆରୀ ୧୮୮୪ – ୧ ଜୁଲାଇ ୧୯୮୪) ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ଥିଲେ। ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ସହ କାମ କରିଥିଲେ। ୧୯୪୨ ମସିହାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିଲେ। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗୁଜରାଟର ପ୍ରତ୍ୟେକ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଆଶୀର୍ବାଦ ପାଇଁ ତାଙ୍କ ପାଖକୁ ଆସିବାର ଏକ ପରମ୍ପରା ପ୍ରଚଳିତ ହୋଇ ଆସୁଥିଲା।
୨. ମେହେର ବାବା (୨୫ ଫେବ୍ରୁଆରୀ ୧୮୯୪ – ୩୧ ଜାନୁଆରୀ ୧୯୬୯) ପୁଣେଠାରେ ଇରାନୀ ଜୋରୋଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ ଥିଲେ। ତାଙ୍କର ଭାରତରେ ଲକ୍ଷ ଲକ୍ଷ ଅନୁଗାମୀ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରୁ ମଧ୍ୟ ତାଙ୍କର ଅନୁଗାମୀ ଥିଲେ।
୩. ଡାନି ଡେନଜୋଙ୍ଗପା ସିକ୍କିମର ଏକ ବୌଦ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଅଭିନେତା, ଗାୟକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟନ୍ତି। ୧୯୭୧ ମସିହାରୁ ସେ ପ୍ରାୟ ୧୯୦ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ବଙ୍ଗଳା, ନେପାଳୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ୨୦୦୩ ରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ହଂସ ରାଜ ଖାନ୍ନା (୩ ଜୁଲାଇ ୧୯୧୨ – ୨୫ ଫେବ୍ରୁଆରୀ ୨୦୦୮) ଜଣେ ବିଚାରପତି ଥିଲେ। ସେ ୧୯୫୨ ମସିହାରେ ଜଣେ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ ଭାବରେ ଭାରତୀୟ ନ୍ୟାୟପାଳିକାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୧ରୁ ୧୯୭୭ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ୧୯୮୨ମସିହାରେ ଖାନ୍ନାଙ୍କୁ ଭାରତର ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରାଯାଇଥିଲା। ୧୯୯୯ ମସିହାରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୯୧୦ – ଦଲାଇ ଲାମା ଚୀନ୍ ସୈନ୍ୟଙ୍କ କବଳରୁ ରକ୍ଷା ପାଇବା ପାଇଁ ତିବ୍ବତ ଛାଡ଼ି ଭାରତକୁ ଆସିଥିଲେ।
୧୯୩୨ – ହିଲ୍ଟର ସାତ ବର୍ଷ ପରେ ଜର୍ମାନ ନାଗରିକତା ହାସଲ କରିଥିଲେ। ୧୯୨୫ରେ ସେ ଅଷ୍ଟ୍ରିଆର ନାଗରିକତା ରଦ୍ଦ କରିଥିଲେ ଏବଂ ପାଖାପାଖି ସାତ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ଦେଶର ନାଗରିକତା ମିଳିନଥିଲା।
୧୯୬୪ – ସୋନି ଲିଷ୍ଟନଙ୍କୁ ପରାସ୍ତ କରି ମହମ୍ମଦ ଅଲ୍ଲୀ ବିଶ୍ୱ ହେଭିୱେଟ୍ ଚାମ୍ପିୟନ ହୋଇଥିଲେ।
୧୯୮୬ – ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଦେଶ ଛାଡ଼ି ପଳାୟନ କରିବା ପରେ କୋରାଜନ୍ ଆକ୍ୱିନୋ ଫିଲିପାଇନ୍ସର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।