ନୂଆଦିଲ୍ଲୀ, ୨୫/୦୨: ଦିଲ୍ଲୀ ବିଧାନସଭାର ଅଧିବେଶନ ଚାଲିଥିବା ବେଳେ ୧୨ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଛନ୍ତି ବାଚସ୍ପତି ବିଜେନ୍ଦର ସିଂ।
ଅଧିବେଶନ ଆରମ୍ଭ ହେବା ପରେ ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିବା ବେଳେ ବିଧାୟକମାନେ ଉପରାଜ୍ୟପାଳଙ୍କ ଭାଷଣରେ ବାଧା ସୃଷ୍ଟି କରିଥିଲେ। ଆପ୍ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ନାରାବାଜି କରିବାରୁ ତାଙ୍କ ଭାଷଣରେ ବାଧା ସୃଷ୍ଟି ହୋଇଥିଲା। ବାଚସ୍ପତି ବିଜେନ୍ଦର ସିଂ ବିଧାୟକମାନଙ୍କୁ ଶାନ୍ତ ରହିବାକୁ ଏକାଧିକ ଥର ଅନୁରୋଧ କରିଥିଲେ ମଧ୍ୟ ସେମାନେ ନାରାବାଜି ଜାରି ରଖିଥିଲେ। ଯାହା ପରେ ଆପର ୧୨ ଜଣ ବିଧାୟକମାନଙ୍କୁ ଗୃହରୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି। ନିଲମ୍ବିତ ବିଧାୟକ ମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଅଛନ୍ତି। ନିଲମ୍ବନ ପରେ ବିଧାୟକମାନେ ବିଧାନସଭା ପରିସରରେ ଧାରଣାରେ ବସିଛନ୍ତି।