ଏହି ବୈଜ୍ଞାନିକଙ୍କ ସମ୍ମାନାର୍ଥେ ଭାରତରେ ପାଳନ ହେଉଛି ଜାତୀୟ ବିଜ୍ଞାନ ଦିବସ

ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୨୦୨୫ ଫେବ୍ରୁଆରୀ ୨୮

ଜାତୀୟ ବିଜ୍ଞାନ ଦିବସ:- ପ୍ରତିବର୍ଷ ୨୮ ଫେବ୍ରୁଆରୀରେ ଭାରତରେ ଏହି ଦିବସ ପାଳନ କରାଯାଏ। ଏହିଦିନ ୧୯୨୮ ମସିହାରେ ନୋବେଲ ବିଜେତା ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ରମଣ ଇଫେକ୍ଟ ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଯୋଗୁଁ ତାଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା। ୧୯୮୬ ମସିହାରେ ଏନସିଏସଟିସି ସରକାରଙ୍କୁ ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଘୋଷଣା କରିବାକୁ କହିଥିଲେ। ସେବେଠାରୁ ଏହି ଦିବସ ପାଳନ ହୋଇଆସୁଛି। ପ୍ରଥମ ବିଜ୍ଞାନ ଦିବସ, ୧୯୮୭ ମସିହାରେ ହୋଇଥିଲା। ଏହି ଦିନ ଜାତୀୟ ବିଜ୍ଞାନ ଲୋକୀକରଣ ପୁରସ୍କାର ପ୍ରଦାନ କରାଯାଉଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଚମରାଜ ୱଡେୟାର ନବମ (୨୮ ଫେବ୍ରୁଆରୀ ୧୭୭୪ – ୧୭ ଅପ୍ରେଲ ୧୭୯୬), ୧୭୭୬ ମସିହାରୁ ଦୁଇ ଦଶନ୍ଧି ଧରି ୧୭୯୬ ପର୍ଯ୍ୟନ୍ତ ମହୀଶୂର ରାଜ୍ୟର ୨୧ତମ ମହାରାଜା ଥିଲେ।

୨. ମୋରାରଜୀ ରାଞ୍ଚୋଡଜୀ ଦେଶାଇ (୨୯ ଫେବ୍ରୁଆରୀ ୧୮୯୬ – ୧୦ ଅପ୍ରେଲ ୧୯୯୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ କି ୧୯୭୭ରୁ ୧୯୭୯ ମଧ୍ୟରେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଜନତା ପାର୍ଟି ସହ ଜଡ଼ିତ ଥିଲେ। ରାଜନୀତିରେ ତାଙ୍କର ଦୀର୍ଘ କ୍ୟାରିୟର ମଧ୍ୟରେ ସେ ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଭାରତର ଦ୍ୱିତୀୟ ଉପପ୍ରଧାନମନ୍ତ୍ରୀ ଭଳି ଦାୟିତ୍ୱ ତୁଲାଇଥିଲେ। ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା।

୩. ଆଚାର୍ଯ୍ୟ ଆର୍ଯ୍ୟାନନ୍ଦୀ (୨୮ ଫେବ୍ରୁଆରୀ ୧୯୦୭ – ୮ ଫେବ୍ରୁଆରୀ ୨୦୦୦) ଜଣେ ବିଶିଷ୍ଟ ଜୈନ ସାଧୁ ଥିଲେ। ଭାରତର ମହାରାଷ୍ଟ୍ରରେ ଅନେକ ଜୈନ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ବହୁ ଅବଦାନ ରହିଥିଲା। ସେ ୧୯୫୫ ମସିହାରେ ଆଚାର୍ଯ୍ୟ ଶାନ୍ତିସାଗରଙ୍କଠାରୁ ବ୍ରହ୍ମଚାର୍ଯ୍ୟ ବ୍ରତ ଗ୍ରହଣ କରିଥିଲେ।

୪. କୃଷ୍ଣକାନ୍ତ (୨୮ ଫେବୃଆରୀ ୧୯୨୭ – ୨୭ ଜୁଲାଇ ୨୦୦୨), ୧୯୯୭ରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଭାରତର ଦଶମ ଉପରାଷ୍ଟ୍ରପତି ଥିଲେ। ଏହା ପୂର୍ବରୁ ସେ ୧୯୯୦ରୁ ୧୯୯୭ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ। ସେ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ରହିଥିଲେ।

୫. ଉପଲାପୁ ଶ୍ରୀନିବାସ (୨୮ ଫେବ୍ରୁଆରୀ ୧୯୬୯ – ୧୯ ସେପ୍ଟେମ୍ବର ୨୦୧୪) ଜଣେ ମାଣ୍ଡୋଲିନ ବାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ତାଙ୍କୁ “ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମୋଜାର୍ଟ” ମଧ୍ୟ କୁହାଯାଏ। ୧୯୮୮ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୦୯ ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ପୁରସ୍କୃତ ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ – ୨୮ ଫେବୃଆରୀ ୧୮୮୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଇଂରେଜଙ୍କ ବିରୋଧରେ ଲଢେଇ କରି ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଆଦିବାସୀଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଆଦିବାସୀ ଭାଷା ଓ ସଂସ୍କୃତିର ପ୍ରଚାରପ୍ରସାର କରୁଥିଲେ। ୨୦୦୯ ମସିହାରେ ଓଡ଼ିଶା ସରକାର ଏହି ମହାନ ନେତାଙ୍କୁ ସମ୍ମାନ ଦେଇ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ରାଜ୍ୟର ସର୍ବପୁରାତନ ଇଞ୍ଜିନିୟରିଂ କଲେଜ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂର ନାମ ପରିବର୍ତ୍ତନ କରି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ନାମିତ କରିଥିଲେ।

୨. କମଳା କୌଲ ନେହେରୁ (୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଜବାହରଲାଲ ନେହେରୁଙ୍କ ପତ୍ନୀ ଥିଲେ। ସେ ମାତ୍ର ୧୬ ବର୍ଷ ବୟସରେ ଜବାହରଲାଲ ନେହେରୁଙ୍କୁ ବିବାହ କରିଥିଲେ। ସ୍ୱିଜରଲ୍ୟାଣ୍ଡର ଲୌସାନେଠାରେ ଯକ୍ଷ୍ମା ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା।

୩. ରାଜେନ୍ଦ୍ର ପ୍ରସାଦ (୩ ଡିସେମ୍ବର ୧୮୮୪ – ୨୮ ଫେବୃଆରୀ ୧୯୬୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ, ପଣ୍ଡିତ ଏବଂ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ। ସେ ବିହାରର ସିୱାନ ଜିଲ୍ଲାର ଜିରାଦେଇଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରସାଦଙ୍କୁ ଯେତେବେଳେ ପାଞ୍ଚ ବର୍ଷ ବୟସ ହୋଇଥିଲା, ତାଙ୍କ ପିତାମାତା ତାଙ୍କୁ ଜଣେ ଦକ୍ଷ ମୁସଲମାନ ପଣ୍ଡିତ ମୌଲବୀଙ୍କ ପାଖରେ ପାର୍ସି ଭାଷା, ହିନ୍ଦୀ ଏବଂ ଗଣିତ ଶିଖିବା ପାଇଁ ଛାଡିଥିଲେ। ପ୍ରସାଦ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ବିହାର ଅଞ୍ଚଳରୁ ଜଣେ ପ୍ରମୁଖ ନେତା ହୋଇଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୫୬୮ – ୧୫୬୭ ମସିହା ଅକ୍ଟୋବର ୨୦ ତାରିଖରୁ ଘେରି ରହିଥିବା ଚିତ୍ତୋରଗଡ଼ ଦୁର୍ଗକୁ ମୋଗଲ ସମ୍ରାଟ ଆକବର କବଜା କରିଥିଲେ।

୧୯୧୮ – ମାତ୍ର ୩୧ ବର୍ଷୀୟ ଶ୍ରୀନିବାସ ରାମାନୁଜନ ରୟାଲ ସୋସାଇଟି ଇତିହାସରେ ସର୍ବକନିଷ୍ଠ ବ୍ୟକ୍ତି ଥିଲେ।

୧୯୫୩ – କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜେମ୍ସ ଡି ୱାଟସନ ଏବଂ ଫ୍ରାନ୍ସିସ୍ ଏଚ୍ ସି କ୍ରିକ୍ ଘୋଷଣା କରିଥିଲେ ଯେ ସେମାନେ ମାନବ ଜିନ୍ ଥିବା ଅଣୁ ଡିଏନଏର ଡବଲ-ହେଲିକ୍ସ ଗଠନ ନିର୍ଦ୍ଧାରଣ କରିଛନ୍ତି।

୧୯୬୮ – ପଣ୍ଡିଚେରୀରେ ଥିବା ଇଣ୍ଟରନ୍ୟାସନାଲ ସିଟି ଅରୋଭିଲରେ ଅରବିନ୍ଦ ଆଶ୍ରମର ଉଦଘାଟନ ହୋଇଥିଲା। ଏହା ମିରା ଆଲଫାସା (“ମଦର” ନାମରେ ଜଣାଶୁଣା) ଦ୍ୱାରା ସ୍ଥାପିତ ହୋଇଥିଲା।