ରାୟଗଡ଼ା, ୧୪/୦୩: ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି। ଗୋଟିଏ ବୋଲେରୋ ପିକ ଅପ୍ ଓ ୬୬୦ କେଜି ଗଞ୍ଜେଇ ସହିତ ଏକ ଧଳା କାର, ଗୋଟିଏ ପିସ୍ତଲ ଓ ମାଗାଜିନ୍, ଦୁଇଟି ଗୁଳି ଏବଂ ୫ଟି ମୋବାଇଲ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଗିରଫ ୬ ଜଣ ହେଲେ ରାୟଗଡ଼ା ସହରର ନୂଆସାହିର ଆର. ଅମଲରାଜ, ଆର ଅବିନାଶ, ଆର ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟ ଥାନାର ମଜିବୁଲ ହକ୍ ଅଲି ଓ କୋରାପୁଟର ଏ ବିନୋଦ କୁମାର।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ୧.୪୫ ସମୟରେ ଟାଉନ ଥାନା ଏସଆଇ ଏସ.କେ. ମୁର୍ମୁ ଓ ପୋଲିସ ଟିମ୍ ରାୟଗଡ଼ା ଠାରୁ ହାଲୁଆ ମଧ୍ୟରେ ପେଟ୍ରୋଲିଂ କରିବା ବେଳେ ସ୍ଥାନୀୟ ଅଞ୍ଚଳରେ ଥିବା ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଗାଡ଼ି ଯାଉଥିବା ଦେଖି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ ପୋଲିସ। ପଚରାଉଚରା ବେଳେ ଏହି ଗଞ୍ଜେଇ ଚନ୍ଦ୍ରପୁର ବ୍ଲକର ଏକ ଗାଁରୁ ଛତିଶଗଡର ରାୟପୁରକୁ ଚାଲାଣ କରୁଥିବା ସ୍ବୀକାର କରିଥିଲେ। ଗିରଫ ସମସ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି।